ଭାରତକୁ ରୁଷର ବଡ଼ ଅଫର । ବ୍ୟାରେଲକୁ ମିଳିବ ୩୫ ଡଲାର ରିହାତି

566

କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ପ୍ରତିବନ୍ଧକର ଶିକାର ହୋଇଥିବା ରୁଷ ଭାରତକୁ ବଡ ରିହାତିରେ ଅଶୋଧିତ ତେଲ ଦେବାକୁ ପ୍ରସ୍ତାବ ଦେଇଛି । ବ୍ୟାରେଲର ଅନ୍ତର୍ଜାତୀୟ ମୂଲ୍ୟଠୁ ପ୍ରାୟ ୩୫ ଡଲାର ରିହାତିରେ ଭାରତକୁ ଚଳିତ ବର୍ଷ ୧୫ ମିଲିଅନ ବ୍ୟାରେଲ ତେଲ ଦେବାକୁ ମସ୍କୋ ପ୍ରସ୍ତାବ ଦେଇଛି । ଏନେଇ କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ରହିଛି ।

ରୁଷର ତେଲ ଭାରତ କିଣିବାକୁ ପ୍ରସ୍ତୁତ ହେଉଥିବା ଜାଣିବା ପରେ ଆମେରିକା ଏବଂ ୟୁରୋପୀୟ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । କିନ୍ତୁ ଦେଶର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଶସ୍ତାରେ ତେଲ କିଣିବା ନେଇ ଭାରତ ସମସ୍ତ ବିକଳ୍ପ ଉପରେ ବିଚାର କରିବ ।

ୟୁରୋପ ଏବଂ ଆମେରିକା ରୁଷ ପାଖରୁ ଅଶୋଧିତ ତେଲ କିଣନ୍ତି । କିନ୍ତୁ ପ୍ରତିବନ୍ଧକ ଲାଗିବା ପରେ ରୁଷ ଏବେ ଭାରତକୁ ତେଲ ବିକ୍ରି କରିବାକୁ ଚିନ୍ତା କରୁଛି । ଆଉ ଭାରତ ଯେଉଁ ୧ ପ୍ରତିଶତ ତେଲ କିଣୁଥିଲା ତାକୁ ବଢାଇବାକୁ ଚିନ୍ତା କରୁଛି । ଏବେ ରୁଷ ଏସିଆରେ ନିଜ ତେଲ ବିକ୍ରି କରିବାକୁ ଚିନ୍ତା କରୁଛି । ଏଥିପାଇଁ ଚୀନ ଏବଂ ଭାରତକୁ ନିଜର ବଜାର ଭାବେ ଦେଖୁଛି । ଚୀନ ସହିତ ନେଣଦେଣ ନେଇ କୌଣସି ଅସୁବିଧା ନାହିଁ ହେଲେ ଭାରତ ସହିତ ବ୍ୟବସାୟ ବେଳେ ରୁଷ ନିଜ ଦେଶର ମେସେଜିଂ ସିଷ୍ଟମ ଏସପିଏଫଏସ ଜରିଆରେ ଟଙ୍କା ଏବଂ ରୁବଲ ଜରିଆରେ ବ୍ୟବସାୟ କରିବ ବୋଲି ଜଣାପଡିଛି ।

ତେଲ ଆମଦାନୀ କରିବାରେ ଭାରତ ପ୍ରମୁଖ ଦେଶ । ତେଣୁ ନିଜର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ରୁଷ ଭାରତରେ ତେଲ ବିକ୍ରି କରିବା ସହିତ ନିଜର ବ୍ୟବସାୟିକ ବନ୍ଧୁତ୍ୱକୁ ଆଗକୁ ବଢାଇବାକୁ ଚିନ୍ତା କରୁଛି ବୋଲି ଜଣାପଡିଛି ।