କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଏବେ ସଂକଟରେ ପଡିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଦେଶରେ ଥିବା ଘରୋଇ ସେନା ୱାଗନର ଗ୍ରୁପ ଏବେ ପୁଟିନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି । ୱାଗନର ଗ୍ରୁପ ଏବେ କ୍ରେମଲିନ ଆଡକୁ ଗତି କରୁଛି । ଏସବୁ ଭିତରେ ପୁଟିନ ୱାଗନର ଗ୍ରୁପକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

Advertisment

ପୁଟିନ କହିଛନ୍ତି କି, ଯେଉଁ ଲୋକମାନେ ବିଦ୍ରୋହ କରୁଛନ୍ତି ସେମାନେ ଋଷକୁ ଧୋକା ଦେଇଛନ୍ତି । ସେମାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଟିନ ଚେତାବନୀ ଦେଇଛନ୍ତି । ପୁଟିନଙ୍କ ଏଭଳି ବୟାନ ପରେ ୱାଗନର ଗ୍ରୁପର ମୁଖ୍ୟ ୟେବଗେନ ପ୍ରିଗୋଝିନ କହିଛନ୍ତି କି ତାଙ୍କ ସେନା ଏବେ ରେସ୍ତୋବ ସେନା ମୁଖ୍ୟାଳୟ ଭିତରେ ପ୍ରବେଶ କରିସାରିଛି । ଏହାସହ ୱାଗନର ଗ୍ରୁପ ରେସ୍ତୋବ ସହର ଦଖଲ କରିସାରିଥିବା କଥା ପ୍ରିଗୋଝିନ କହିଛନ୍ତି । ଏନେଇ ୱାଗନର ଗ୍ରୁପ ତରଫରୁୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ସେପଟେ ପୁଟିନ କହିଛନ୍ତି କି, ୱାଗନର ଗ୍ରୁପ ବିରୋଧରେ ଋଷବାସୀ ଏକାଠି ହୋଇ ଲଢେଇ କରିବାର ଆବଶ୍ୟକତା ରହିଛି । ଏହି ବିଦ୍ରୋହ ଋଷ ସେନା ସହ ବିଶ୍ୱାସଘାତକ ବୋଲି ସେ କହିଛନ୍ତି । ୧୯୧୭ କଥା ମନେପକାଇ ପୁଟିନ କହିଛନ୍ତି ୧୯୧୭ରେ ଯେଭଳି ବିଶ୍ୱାସଘାତକତା କରି ସୋଭିଏତ ୟୁନିୟନକୁ ଖଣ୍ଡବିଖଣ୍ଡିତ କରାଯାଇଥିଲା ଏହା ସେହିଭଳି ଏକ ଆନ୍ତରିକ ବିଶ୍ୱାସଘାତକତା । ଏହାସହ ସେନା ଉପରେ ଅସ୍ତ୍ର ଉଠାଉଥିବା ପତ୍ୟେକ ଜଣେ ଜଣେ ଦେଶଦ୍ରୋହୀ ବୋଲି ସେ କହିବା ସହ ୱାଗନର ସେନାକୁ ପରାସ୍ତ କରିବାକୁ ପୁଟିନ ଦେଶର ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ୱାଗନର ଗ୍ରୁପର ମୁଖ୍ୟ ପ୍ରିଗୋଝିନ କହିଛନ୍ତି ଋଷ ସେନାକୁ ସମାପ୍ତ କରିଦିଆଯିବ । ଏନେଇ ୱାଗନର ଗ୍ରୁପର ୨୫ ହଜାର ସୈନିକ ପ୍ରସ୍ତୁତ ହୋଇସାରିଛନ୍ତି । ବାକି ୨୫ ହଜାର ସେନାକୁ ପ୍ରସ୍ତୁତ କରାଯାଉଛି ।