ଭକ୍ତଙ୍କ ଭିତରେ ପଡିଲା ଚହଳ ! ଘଟଗାଁ ମା’ ତାରଣୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଲିଭିବା ସହ ଶାଢୀ ପୋଡି ଯାଇଥିବା କଥା ଗୁଜବ ! ଜାଣନ୍ତୁ ମନ୍ଦିର ପ୍ରଶାସନ କଣ କହିଲା

ମା’ ତାରିଣୀଙ୍କ ମଥାରୁ ସିନ୍ଦୁର ଖସିନି, ଶାଢୀ ପୋଡିନି କିମ୍ବା ଲିଭିନି ଅଖଣ୍ଡ ଦୀପ । ସ୍ପଷ୍ଟ କଲା ମନ୍ଦିର ପ୍ରଶାସନ

6,106

କନକ ବ୍ୟୁରୋ : କେନ୍ଦ୍ରୁଝର ଜିଲ୍ଲାର ଘଟଗାଁରେ ଥିବା ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିରରେ ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି । ମା’ଙ୍କ ମଥାରୁ ସିନ୍ଦୁର ଖସିପଡିଛି ଏପରିକି ମା’ଙ୍କ ଶାଢୀ ଜଳି ଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଖବର ବ୍ୟାପିବା ପରେ ପୂରା ରାଜ୍ୟରେ ଚହଳ ପଡିଯାଇଛି । କିନ୍ତୁ ବାସ୍ତବରେ ଏହି ଖବର ସମ୍ପୂର୍ଣ୍ଣ ମିଛ ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତକାଲି ଠାରୁ ମା’ଙ୍କ ମନ୍ଦିରରେ ଏଭଳି ଅଘଟଣ ହୋଇଥିବା ଖବର ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା । ଚାହୁଁ ଚାହୁଁ ଏହା ରାଜ୍ୟର ଚାରି ଆଡକୁ ବିଜୁଳି ବେଗରେ ମାଡି ଯାଇଥିଲା । ମା’ଙ୍କ ନିକଟରେ ଏଭଳି ଅଘଟଣ ହୋଇଥିବାରୁ ସମସ୍ତ ସଧବା ନାରୀ ମାନଙ୍କୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପିନ୍ଧିବା ସହ ଘରେ ଅଖଣ୍ଡ ଦୀପ ଜାଳିବାକୁ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା । ନଚେତ ସ୍ୱାମୀଙ୍କର କିଛି କ୍ଷତି ହେବ ବୋଲି ଏଥିରେ କୁହାଯାଇଥିଲା ।

ଏପରିକି ପରିବାର ପ୍ରତି ବିପଦ ଆସିବ କହି ଦୂରଦୂରାନ୍ତରେ ଥିବା ମା’ଙ୍କ ଭକ୍ତ ମାନଙ୍କ ମନରେ ଭୟ ସୃଷ୍ଟି କରାଯାଇଥିଲା । ସ୍ୱତନ୍ତ୍ର ପୂଜା ବିଧି କରିବା ପରେ ବିପଦ ଟଳିବ ବୋଲି ଭାଇରାଲ ମେସେଜରେ କୁହାଯାଇଥିଲା । କିନ୍ତୁ ଏଭଳି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ମନ୍ଦିର ଟ୍ରଷ୍ଟ । ମା’ଙ୍କ ନିକଟରେ ପ୍ରଶାସନ ତରଫରୁ ସେଭଳି କୌଣସି ଅଖଣ୍ଡ ଦୀପ ଜଳିବାର ପରମ୍ପରା ନାହିଁ । ଭକ୍ତ ମାନେ ଯେଉଁ ଦୀପ ଦେଇଥାନ୍ତି ତାହାକୁ ମା’ଙ୍କ ନିକଟରେ ଜଳାଯାଇଥାଏ । ତେଣୁ ଏଭଳି ଅପପ୍ରଚାରରୁ ଦୂରେଇ ରହିବାକୁ ଭକ୍ତ ମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।

ମା’ଙ୍କ ପୂଜା ରୀତିନୀତି ପୂର୍ବଭଳି ଚାଲିଛି । କେବଳ କିଛି ଲୋକ ଅଖଣ୍ଡ ଦୀପ ଲିଭି ଯାଇଛି କହି, ଦୂର ଦୂରାନ୍ତରରେ ଥିବା ଭକ୍ତ ମନରେ ଭୟ ସୃଷ୍ଟି କରିବା ସହ ସ୍ବତନ୍ତ୍ର ପୂଜା ବିଧିରେ ବିପଦ ଟଳିବା କହି ଅର୍ଥ ହାସଲ ପାଇଁ ଘୃଣ୍ୟ ପ୍ରୟାସ କରୁଛନ୍ତି, କିନ୍ତୁ ଘଟଗାଁ ମା ତାରିଣୀ ପିଠରେ ଏପରି କୌଣସି ଘଟଣା ଘଟି ନାହିଁ, ଯାହାକି ମନ୍ଦିର ପୂଜକ ଓ ଟ୍ରଷ୍ଟ ବୋର୍ଡ ସ୍ପଷ୍ଟ କରିଛନ୍ତି ଜ୍ଝ ଏପରିକି ଏଭଳି ଅପପ୍ରଚାରୁ ଦୂରେଇ ରହିବାକୁ କନକ ନ୍ୟୁଜ ପକ୍ଷରୁ ମଧ୍ୟରୁ ଭକ୍ତ ମାନଙ୍କୁ ନିବେଦନ କରାଯାଉଛି ।