କ୍ଲିକ୍ କରନ୍ତୁ, ଫି’ ଦିଅନ୍ତୁ: ଆରଟିଓ ଅଫିସରେ ଲମ୍ବା ଲାଇନରୁ ମିଳିବ ମୁକ୍ତି । ଘରେ ବସି ଅନଲାଇନରେ ଜମା କରିହେବ ସବୁ ଫି’

671

କନକ ବ୍ୟୁରୋ: ଆରଟିଓ ଅଫିସରେ ଆଉ ଲାଇନ ଲଗାଇ ଫି ଦେବାକୁ ପଡିବନି କି ଫି ଜମା କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । କାରଣ କାଲିଠାରୁ ଆପଣ ଗୋଟିଏ କ୍ଲିକରେ ଆରଟିଓ ଅଫିସର ସବୁ ଫି ଦେଇପାରିବେ । ଘରେ କିମ୍ବା କାଫେରେ କିଛି ଅନଲାଇନ ଫି ଦେବା ପରେ ଆଉ କିଛି ଚାର୍ଜ ଦେବାକୁ କାଉଂଟରରେ ଲମ୍ବା ଲାଇନରେ ଠିଆହେବାକୁ ପଡ଼ିବ ନାହିଁ । ଆରଟିଓ ଅଫିସରେ ଅନଲାଇନ ବ୍ୟବସ୍ଥା ଅଚଳ ନେଇ କନକନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ଓ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏଭଳି ପରିବର୍ତ୍ତନ ଆସିଛି ।

ନୂଆ ମୋଟର ଯାନ ଆଇନ ଆସିବା ପରେ ଆରଟିଓ ଅଫିସରେ ଲାଗି ରହିଥିଲା ଲମ୍ବା ଭିଡ଼ । ଅନଲାଇନରେ ଫି’ ଜମା କରିବା ପରେ ମଧ୍ୟ କିଛି ଦେୟ ଏପରି ଥିଲା, ତାକୁ ଜମା କରିବାକୁ ପଡୁଥିଲା କାଉଁଟରରେ । ଲର୍ଣ୍ଣିଂ ଲାଇସେନସ ପାଇଁ ୨୦୦ ଟଙ୍କା ଦେବା ପରେ ଅଫିସ ଯାଇ ୨୨ ଟଙ୍କା ଦେବାକୁ କୁହାଯାଉଥିଲା । ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଇଁ ୬୭୯ ଟଙ୍କା ଦେବା ପରେ ଜିଏସଟି ବାବଦରେ ୯୪ ଟଙ୍କା କାଉଂଟରରେ ଡିପୋଜିଟ୍ କରିବାକୁ ପଡ଼ୁଥିଲା । ଫଳରେ ପ୍ରବଳ ଭିଡ଼ ଲାଗି ରହୁଥିଲା ଆରଟିଓ ଅଫିସ ଆଗରେ । କିନ୍ତୁ ଆସନ୍ତାକାଲିଠାରୁ ଏହି ସମସ୍ୟା ଦୂର ହେବାକୁ ଯାଉଛି ।

ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ, ଫିଟନେସ୍ ଓ ପରମିଟ୍ ଭଳି ସବୁ ଫି ଅନଲାଇନରେ ଏକାଥରେ ଦେଇ ହେବ । ୧୭ ତାରିଖ ଠାରୁ ଜଣେ ଆବେଦନକାରୀ ଘରେ କିମ୍ବା କିଓସ୍କରେ ଅନଲାଇନ୍ ଫର୍ମ ପୂରଣ ସହ ଗୋଟିଏ କ୍ଲିକରେ ସବୁ ଫି ଦେଇପାରିବେ ।

ଆରଟିଓ ଅଫିସରେ ସବୁପ୍ରକାର ଚାର୍ଜ ବା ଦେୟ କାହିଁକି ଏକାଥରକରେ ଅନଲାଇନରେ ନିଆନଯାଇ ଲୋକଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ବାଧ୍ୟ କରାଯାଉଛି, ସେ ନେଇ କନକନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା । ହାଇକୋର୍ଟ ମଧ୍ୟ ଏ ନେଇ ହସ୍ତକ୍ଷେପ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ପରିବହନ ବିଭାଗର ଏହି ନିଷ୍ପତ୍ତି ଯୋଗୁଁ ଆରଟିଓ ଅଫିସ ଆଗରେ ଭିଡ଼ କମିବ ବୋଲି ଆଶା କରାଯାଉଛି ।