କରୋନା ଚିକିତ୍ସାରେ ଖର୍ଚ୍ଚ ହେଲାଣି ୨୫୦ କୋଟି । ୧୪ ସିସିସି, ୯ ହସ୍ପିଟାଲର ରୋଗୀଙ୍କ ଖର୍ଚ୍ଚ ବହନ କରୁଛନ୍ତି ସରକାର…

646

କଟକରେ କରୋନା ରୋଗୀଙ୍କ ଚିକିତ୍ସାରେ ଏଯାଏ ରାଜକୋଷରୁ ଖର୍ଚ୍ଚ ହେଲାଣି ପାଖାପାଖି ୨୫୦ କୋଟି ଟଙ୍କା। ଏହି ଖର୍ଚ୍ଚ ଆଗକୁ ଆହୁରି ଅଧିକ ହେବା ଆକଳନ କରାଯାଉଛି। ପ୍ରଥମ ଲହର ସମୟରେ କଟକରେ ୬ଟି ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ଖର୍ଚ୍ଚ ସରକାର ବହନ କରୁଥିଲେ। ସେହି ସମୟରେ ଖର୍ଚ୍ଚ ହୋଇଥିଲା ପାଖାପାଖି ୭୦ କୋଟି ଟଙ୍କା। ଦ୍ବିତୀୟ ଲହରରେ ଏସସିବି ବଡ ମେଡିକାଲ ଓ ୯ଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏଯାଏ ସେହି ହସ୍ପିଟାଲ ଗୁଡିକରେ ଚିକିତ୍ସା ଖର୍ଚ୍ଚ ୯୦ କୋଟିରେ ପହଞ୍ଚିଲାଣି। ଅନ୍ୟପଟେ ଜିଲ୍ଲାର ୧୪ଟି କୋଭିଡ କେୟାର ସେଣ୍ଟର (ସିସିସି)ରେ ଦୁଇଟିଯାକ ଲହରରେ ହୋଇଥିବା ଖର୍ଚ୍ଚ ପହଞ୍ଚିଲାଣି ୯୦ କୋଟିରେ। ସ୍ବାସ୍ଥ୍ୟ ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ମୋଟାମୋଟି ଖର୍ଚ୍ଚ ଏଭଳି ହିସାବରେ ୨୫୦ କୋଟିରେ ପହଞ୍ଚିଲାଣି। ଏବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବିଭିନ୍ନ ହସ୍ପିଟାଲରେ ସାଧାରଣ ଓ ଅକ୍ସିଜେନ୍ ଯୁକ୍ତ ବେଡ୍ ଖାଲି ପଡୁଛି। କିନ୍ତୁ ଆଇସିୟୁ ଓ ଭେଣ୍ଟିଲେଟର ଏବେ ବି ଭର୍ତ୍ତି ଥିବା ଜଣା ପଡିଛି। ଅନ୍ୟପଟେ ସିସିସି ଗୁଡିକରେ ଏବେ ଅଧିକାଂଶ ବେଡ୍ ଖାଲି ପଡିଛି।

କଟକରେ ପ୍ରଥମ ଲହର ସମୟରେ ଅଶ୍ବିନୀ, ସୃଷ୍ଟି, ସନ୍‌, ସଦ୍‌ଗୁରୁ, ସାଉଥ୍‌ପଏଣ୍ଟ ଓ ଜିମ୍‌ସାର ଭଳି ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଦ୍ବିତୀୟ ଲହରରେ ଏହା ସହିତ ୟୁନିକ୍‌, ଓମ୍ ଶୁଭମ୍‌, ରୁଦ୍ର, ମେଡିଆରା ଭଳି ଘରୋଇ କୋଭିଡ୍‌ ହସ୍ପିଟାଲ ଯୋଡ଼ି ହେଇଥିଲେ। କିନ୍ତୁ ପ୍ରଥମ ଲହରରେ ସନ୍ ହସ୍ପିଟାଲରେ ‌ରୋଗୀ ଚିକିତ୍ସିତ ହେଉଥିବା ବେଳେ ଦ୍ବିତୀୟ ଲହରରେ ସନରେ ରୋଗୀ ଚିକିତ୍ସିତ ହେଉ ନାହାନ୍ତି। ଅନ୍ୟପଟେ ସହରର ୫ଟି କୋଭିଡ୍‌ କେୟା‌ର ସେଣ୍ଟରରେ ସଂକ୍ରମିତଙ୍କୁ ରଖିବା ବ୍ୟବସ୍ଥା କରାଯାଇଥିଲା। ବୋସ୍‌ କମ୍ପୁଟର ଲାବ୍‌, ଆଇଏମ୍‌ଆଇଟି, ଏଲ୍‌ ଆଣ୍ଡ ଟି ଗୋପାଳପୁର, ବୋସ୍‌ ବିବେକାନନ୍ଦ ନିୟୁ ହଷ୍ଟେଲ, ହାଇକୋର୍ଟ ସିସିସି ସହିତ ଗ୍ରାମାଞ୍ଚଳରେ ୯ଟି ସିସିସି ବଡମ୍ବା ଏସ୍‌ଟି ଏସ୍‌ସି ହଷ୍ଟେଲ, ଟାଙ୍ଗୀ ଡ୍ରିମ୍ସ, ଜିମ୍‌ସାର, ପୋରରା ସେବାଶ୍ରମ ସ୍କୁଲ, ଡାଏଟ୍ ନରସିଂହପୁର, ଶ୍ରୀ ଶ୍ରୀ ଆୟୁର୍ବେଦ ହସ୍ପିଟାଲ ବାରଙ୍ଗ, ଆମ୍ରପଲ୍ଲୀ ରିସୋର୍ଟ, ମାହାଙ୍ଗାସ୍ଥିତ ସ୍ବାମୀ ଚିଦାନନ୍ଦ ଇନ୍‌‌ଷ୍ଟିଚ୍ୟୁଟ୍‌, ବାଙ୍କୀସ୍ଥିତ ସାଇ ସମର୍ଥ ହସ୍ପିଟାଲରେ ରୋଗୀଙ୍କୁ ରଖାଯାଉଥିଲା। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜିଲ୍ଲାରେ କରୋନାରେ ଏଯାଏ ୭୧ ହଜାରରୁ ୫୮୧ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬୭ ହଜାର ୮୭୪ ଜଣ ସୁସ୍ଥ ହୋଇସାରିଲେଣି।

ଏଭଳି ସ୍ଥିତିରେ ବର୍ତ୍ତମାନ ଜିଲ୍ଲାରେ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ୧୦୨୮ ବେଡ୍‌ ଓ କୋଭିଡ୍‌ ହସ୍ପିଟାଲରେ ୫୭୨ ସାଧାରଣ ଓ ଅକ୍ସିଜେନ ଯୁକ୍ତ ବେଡ୍‌ ଫାଙ୍କା ପଡିଛି। ସେହିପରି ବୋସ କମ୍ପ୍ୟୁଟର ଲାବ୍‌ ସିସିସିରେ କେହି ଜଣେ ବି ରୋଗୀ ନଥିବା ବେଳେ ସହରର ୫ ସିସିସିରେ ଅଛନ୍ତି ମାତ୍ର ୪୦ଜଣ ସଂକ୍ରମିତ। ଜିଲ୍ଲାର ୧୪ଟି ସିସିସିରେ ହୋଇଥିବା ୧୯୧୦ଟି ବେଡ୍‌ରୁ ଏବେ ୧୦୨୮ଟି ଖାଲି ପଡିଛି। ଅର୍ଥାତ ୧୩ଟି ସିସିସରେ ଏବେ ୮୮୨ଜଣ ଚିକିତ୍ସିତ ହେଉଛନ୍ତି। କଟକ ବଡ ଡାକ୍ତରଖାନାରେ ଥିବା କୋଭିଡ୍‌ ହସ୍ପିଟାଲରେ ୫୦୭ ବେଡ୍‌ରୁ ୧୪୭ଟି ଅକ୍ସିଜେନ ଯୁକ୍ତ ବେଡ୍‌ରେ ରୋଗୀ ଥିବା ବେଳେ ଆଇସିୟୁ ଓ ଭେଣ୍ଟିଲେଟର କିନ୍ତୁ ଭର୍ତ୍ତି। ଅର୍ଥାତ୍‌ ୯୪ଟି ଆଇସିୟୁରେ ୯୪ଜଣ ଓ ୩୩ଟି ଭେଣ୍ଟିଲେଟରରେ ୩୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାର ୮ଟି ଘରୋଇ କୋଭିଡ୍‌ ହସ୍ପିଟାଲରେ ୧୮୮ଟି ସାଧାରଣ ବେଡ୍‌ରୁ ୧୧୬ଟି ଖାଲି ପଡିଛି। ୯୪୧ଟି ଅକ୍ସିଜେନଯୁକ୍ତ ବେଡ୍‌ରେ ୪୮୫ଜଣ, ୩୬୩ଟି ଆଇସିୟୁରେ ୩୩୫ଜଣ, ୧୪୯ଟି ଭେଣ୍ଟିଲେଟରେ ୧୩୨ଜଣ ‌ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଫଳରେ ଜିଲ୍ଲାରେ ୧୧୬ଟି ସାଧାରଣ ବେଡ୍‌, ୪୫୬ଟି ଅକ୍ସିଜେନଯୁକ୍ତ ବେଡ୍‌, ୨୮ଟି ଆଇସିୟୁ ଓ ୧୭ଟି ଭେଣ୍ଟିଲେଟର ଖାଲି ରହିଛି। କଟକରେ ଦୁଇଟି ଲହରରେ ୨୨୮ ଜଣଙ୍କର କରୋନାର ମୃତ୍ୟୁ ଘଟିଥିବା ରାଜ୍ୟ କୋଭିଡ୍ ଡାଟା କହୁଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଜିଲ୍ଲାରେ ଆଜି ସୁଦ୍ଧା କରୋନାରେ ୨୦୪ଜଣ ଓ ଅଣକରୋନାଜନିତ ମୃତ୍ୟୁସଂଖ୍ୟା ୭୭ ରହିଛି। କୋଭିଡ୍‌ହସ୍ପିଟାଲ ଓ ସିସିସି ବନ୍ଦ କିମ୍ବା ବେଡ୍ ସଂଖ୍ୟା ହ୍ରାସ ସଂପର୍କରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ଯଦି ରାଜ୍ୟ ସରକାରଙ୍କର ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଆସେ ତାହେଲେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।