ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିପାରେ ବଡ ଝଟକା । ବିଜେପିରେ ସାମିଲ ହୋଇପାରନ୍ତି ଆରପିଏନ୍ ସିଂହ ।

137

କନକ ବ୍ୟୁରୋ: ୟୁପି ନିର୍ବାଚନ ପାଇଁ ଏବେ ସେଠାରେ ଚାଲିଛି ଦଳବଦଳ ଋତୁ । ଏକାଧିକ ନେତା ଦଳ ପରିବର୍ତ୍ତନ କରି ନୂଆ ଦଳରେ ସାମିଲ ହେଉଥିବାବେଳେ, କାହାକୁ କେଉଁଠୁ ଟିକେଟ୍ ମିଳୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ବଢିବାରେ ଲାଗିଛି । ଏହାରି ଭିତରେ କଂଗ୍ରେସକୁ ଏକ ବଡ ଝଟକା ମିଳିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । କାହିଁକି ନା ଦଳର ଦିଗଜ୍ଜ ନେତା ଆରପିଏନ୍ ସିଂହ ଖୁୁବଶୀଘ୍ର ହାତ ଛାଡି ପଦ୍ମ ଶିବିରରେ ପ୍ରବେଶ କରିବେ ବୋଲି ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ମୁତାବକ, ଆରପିଏନ୍ ସିଂହ ଖୁବଶୀଘ୍ର କଂଗ୍ରେସ ଦଳକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇପାରନ୍ତି । ଖାଲି ସେତିକି ନୁହେଁ ଦଳ ତାଙ୍କୁ କୁଶୀନଗର ସ୍ଥିତ ପଡରୌନା ଆସନରୁ ଟିକେଟ୍ ମଧ୍ୟ ଦେଇପାରେ । ଏହି ଆସନରୁ ସମାଜବାଦୀ ପାର୍ଟି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଠିଆ କରୁଛି, ତେଣୁ ବିଜେପି ସ୍ୱାମୀଙ୍କୁ ପରାସ୍ତ କରିବାକୁ ଆରପିଏନଙ୍କୁ ନିଜ ଦଳରେ ସାମିଲ କରିପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆରପିଏନ୍ ସିଂହଙ୍କ ତରଫରୁ କିନ୍ତୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ହେଲେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ କଂଗ୍ରେସ ଛାଡି ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ।
ଆରପିଏନ୍ ସିଂହ ବିଜେପିରେ ସାମିଲ ହେବା ଚର୍ଚ୍ଚା ଏବେ ନୁହେଁ ଦୀର୍ଘ ଦିନ ହେଲା ଚାଲିଆସୁଛି । ଆରପିଏନ୍ ପଛୁଆ ବର୍ଗର ନେତା ହୋଇଥିବାବେଳେ, କୁର୍ମି ଜାତିରୁ ଆସୁଛନ୍ତି । ଏଥିସହିତ ପୂର୍ବାଞ୍ଚଳରେ ମଧ୍ୟ ତାଙ୍କର ଭଲ ସଙ୍ଗଠନ ଅଛି । ତେଣୁ ବିଜେପି ତାଙ୍କୁ ଦଳରେ ସାମିଲ କରି ସିଟ୍ ହାତେଇବାକୁ ଅଙ୍କ କଷୁଛି ।

ସୂଚନାଯୋଗ୍ୟ ଯେ, ୟୁପି ନିର୍ବାଚନ ପାଇଁ ସୋମବାର କଂଗ୍ରେସ ନିଜର ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ଏଥିରେ ୩୦ ଜଣ ନେତାଙ୍କୁ ସାମିଲ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ଗୁଲାମ ନବୀ ଆଜାଦ୍, ରାଜ ବବର, ସଚ୍ଚିନ ପାଇଲଟ, କହ୍ନେୟା କୁମାରଙ୍କ ନାଁ ଏହି ଲିଷ୍ଟରେ ସାମିଲ ଅଛି । ୟୁପିର ୪୦୩ ଆସନ୍ ପାଇଁ ମୋଟ ୭ଟି ପର୍ଯ୍ୟାୟରେ ଭୋଟ୍ ପଡିବାକୁ ଅଛି । ଯାହାର ଫଳାଫଳ ମାର୍ଚ୍ଚ ୧୦ରେ ଆସିବ । ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୧୦ରେ ପ୍ରଥମ, ୧୪ରେ ଦ୍ୱିତୀୟ, ୨୦ରେ ତୃତୀୟ,୨୩ରେ ଚତୁର୍ଥ ଓ ୨୭ରେ ପଂଚମ ପର୍ଯ୍ୟାୟଭୋଟ୍ ପଡିବ । ତା ସହିତ ମାର୍ଚ୍ଚ ୩ରେ ଷଷ୍ଠ ଓ ମାର୍ଚ୍ଚ ୭ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବ ।