ରାଜସ୍ଥାନର ରୟାଲ ବାହାଘର: ଗାଁରେ ତିଆରି ହେଲା ସ୍କଟଲାଣ୍ଡ ଫୋର୍ଟ, ଯୋଗଦେବେ ୧୦ ହଜାର ଅତିଥି

389

କନକ ବ୍ୟୁରୋ: ଏମିତି ବାହାଘର ଆପଣ ହୁଏତ ଫିଲ୍ମରେ ଦେଖିଥିବେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ପାଇଁ ସେଟ୍ ତିଆରି ହୋଇଥାଏ । ଆଉ ସେଠାରେ ଫିଲ୍ମ ସୁଟିଂ ହୋଇଥାଏ । ହେଲେ ଆପଣ ଦେଖୁଥିବା ଏହି ଚିତ୍ର କୌଣସି ଫିଲ୍ମ ପାଇଁ ନୁହେଁ ବରଂ ବିବାହ ପାଇଁ ତିଆରି ହୋଇଛି । ରାଜସ୍ଥାନରେ ଏଭଳି ଏକ ବିବାହକୁ ନେଇ ଏବେ ଦେଶ ବିଦେଶରେ ଚର୍ଚ୍ଚା ହେଉଛି । ବିବାହ ପାଇଁ ଗାଁରେ ରିସୋର୍ଟ ତିଆରି ହୋଇଛି, ଟେଣ୍ଟ ସିଟି ବି ତିଆରି ହୋଇଛି । ଯାହାକୁ ଦେଖିଲେ ଆପଣ କେବେ ବି କହିବେନି ଏହା ଏକ ଗାଁ ବୋଲି ।

ଏଭଳି ଏକ ନିଆରା ବାହାଘର ରାଜସ୍ଥାନର ବାଡମେରରେ ହେଉଛି । ଏହି ବାହାଘର ପାଲିର ସାଂସଦ ଥିବା ବଦ୍ରିରାମ ଝାଖଣ୍ଡ ନାତିଙ୍କ ସହ ଏନଆରଆଇ ବ୍ୟବସାୟୀ ନବଲ କିଶୋରଙ୍କ ଝିଅଙ୍କ ସହ ହେଉଛି । ଏହି ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆଉ ବାହାଘର ପାଇଁ ବୁଢାତାଲା ଗାଁର ପୂରା ନକ୍ସା ମଧ୍ୟ ପରିବର୍ତ୍ତନ ହୋଇଯାଇଛି । ଗାଁରେ ଗଛ ଲତା ଲଗାଯାଇ, ରାସ୍ତା ତିଆରି କରାଯାଇଛି । ସବୁଠାରୁ ବଡ କଥା ହେଉଛି ବାହାଘର ପାଇଁ ପେଣ୍ଡାଲକୁ ସ୍କଟଲାଣ୍ଡ ଫୋର୍ଟ ଭଳି ତିଆରି କରାଯାଇଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ବିବାହରେ ୧୦ ହଜାର ଅତିଥି ଯୋଗ ଦେବେ । ଏହି ରୟାଲ ବିବାହ ପାଇଁ ଗାଁକୁ ୧୦ ଦିନ ପାଇଁ ସଜା ଯାଇଛି । ପ୍ରାୟର ୫.୫ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ଏହି ଆକର୍ଷଣୀୟ ପେଣ୍ଡାଲ ତିଆରି ହୋଇଛି । କୁହାଯାଉଛି ଯେ ପ୍ରାୟ ଦେଢ ମାସ ହେବ ୨୦୦ କାରିଗର ଏହାକୁ ତିଆରି କରିବାରେ ଲାଗିଛନ୍ତି । ବରଯାତ୍ରୀ ଓ ଅତିଥିଙ୍କ ରହିବା ପାଇଁ ଟେଣ୍ଟ ହାଉସ ତିଆରି କରାଯାଇଛି । କାରିଗରଙ୍କ କହିବାନୁସାରେ ପୂର୍ବରୁ ରାଜସ୍ଥାନରେ ଏଭଳି ରାଜକୀୟ ବାହାଘର ହୋଇନଥିଲା ।

ସୂଚନା ଅନୁସାରେ ନବଲ କିଶୋର ଗୋଦାର ୨୫ ବର୍ଷ ପୂର୍ବେ ଶ୍ରମିକ ଭାବେ କାମ କରୁଥିଲେ । ପରେ ଗୁଜରାଟରୁ ସାଉଥ ଆଫ୍ରିକା କାମ କରିବାକୁ ଚାଲିଯାଇଥିଲେ । ଆଉ ସେଠାରେ ସେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ । କିଛି ବର୍ଷ ମଧ୍ୟରେ ନବଲ କିଶୋର କସମେଟିକ, ମାଇନିଂ ଓ ଅନ୍ୟ ବ୍ୟବସାୟ କରି କୋଟିପତି ହୋଇଗଲେ ।

ନବଲ କିଶୋର ଚାହିଁଥିଲେ ତାଙ୍କ ଝିଅର ବାହାଘର କୌଣସି ବଡ ହୋଟେଲରେ କରିପାରିଥାନ୍ତେ । ହେଲେ ସେ ତାଙ୍କ ଝିଅର ବାହାଘର ଗାଁରେ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେଥିପାଇଁ ସେ ୨ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଯାହା ଏବେ ସରିଯାଇଛି । ଆଉ ଆଜି ଏହି ରାଜକୀୟ ଶୈଳୀରେ ବିବାହ ହେବାକୁ ଯାଉଛି ।

ଏହି ବିବାହ ଉତ୍ସବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସର ବଡ ବଡ ନେତା ଓ ଉଦ୍ୟୋଗପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିପାଇଁ ଗାଁରେ ହେଲିପ୍ୟାଡ ତିଆରି ହୋଇଛି । ନବଲ କିଶୋରଙ୍କ ଝିଅର ବାହାଘର ରାଜନୈତିକ ପରିବାର ସହ ହେଉଥିବାରୁ ଏଥିରେ ବଡ ବଡ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।