ଖାକିର ଗୁଣ୍ଡାଗର୍ଦ୍ଦି ! ନବରଙ୍ଗପୁରରେ ଚାଷୀର ଫସଲରେ ଗାଡ଼ି ଚଢାଇଲେ ପୁଲିସ୍

31

କନକ ବ୍ୟୁରୋ : ଚାଷୀର ଫସଲରେ ବୁଲୁଛି ପୁଲିସ୍ ଗାଡ଼ି । ଖାକି ପୁଲିସର ଗାଡ଼ି ଚକା ତଳେ ନିଶ୍ଚିହ୍ନ ହୋଇଯାଉଛି ଚାଷୀର କଷ୍ଟ ଉପାର୍ଜିତ ଫସଲ । ମାଟିରୁ ଫଳିବା ପୂର୍ବରୁ ମାଟିରେ ମିଶିଯାଉଛି ଚାଷୀର ଭବିଷ୍ୟତ । ଖାକି ପୁଲିସର ଦବଙ୍ଗଗିରି । ଗୁଣ୍ଡା ସାଜିଲା ପୁଲିସ୍ । ଚାଷୀର ସୁନାର ଫସଲ ଉପରେ ଗାଡ଼ି ଚଢାଇ ନଷ୍ଟ କରିଛନ୍ତି ନବରଙ୍ଗପୁର ଡାବୁ ଗାଁ ଥାନାଧିକାରୀ । ଆଉ ପ୍ରତିବାଦ କଲେ ଥାନାବାବୁ ଦେଉଛନ୍ତି ଗାଡ଼ି ଚପାଇ ହତ୍ୟା ଧମକ।

ତେବେ କାହିଁକି ଗୁଣ୍ଡା ସାଜିଲେ ଥାନାବାବୁ? କଣ ଅଡୁଆ କଲା ଜଣେ ଗରିବ ଚାଷୀର ଫସଲ? ପୁଲିସ ଗାଡ଼ି ବୁଲୁଥିବା ଜମି ପାଖରେ ରହିଛି ଥାନାବାବୁଙ୍କ ଶ୍ୱଶୁର ଦେଇଥିବା ଜମି । ଆଉ ସେହି ଜମିକୁ ଲାଗି ରହିଥିବା ଜମିରେ ଜଣେ ଚାଷୀ ମକା ଚାଷ କରିଥିବାରୁ ଜମିକୁ ଯିବା ରାସ୍ତା ବନ୍ଦ ହୋଇଯାଇଥିଲା । ଏତିକିରେ ଥାନା ଅଧିକାରୀ ଜଣକ ଉତ୍ୟକ୍ତ ହୋଇ ଚାଷୀଙ୍କ ଜମିରେ ଗାଡି ଚଢାଇ ଦେଇଥିଲେ ।

ଘଟଣାକୁ ନେଇ କ୍ୟାମେରା ଆଗରେ କିଛି ବି କହିବାକୁ ମନା କରିଦେଇଛନ୍ତି ସମ୍ପୃକ୍ତ ପୁଲିସ ଅଧିକାରୀ । ସେପଟେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଏସଡିପିଓ । ରକ୍ଷକ ସାଜିଲା ଭକ୍ଷକ । ଆଇନର ରକ୍ଷାକାରୀ ନିଜେ ଭାଂଗିଲେ ଆଇନ୍ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ନବରଙ୍ଗପୁରର ଏହି ଘଟଣା ।