ବଦଳୁଛି କି ଏନସିପିରି ଆଭିମୁଖ୍ୟ ? ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ବିବାଦକୁ ଶରଦ ପାୱାରଙ୍କ ନାପସନ୍ଦ

96

କନକ ବ୍ୟୁରୋ : ବଦଳୁଛି କି ଏନସିପିର ଆଭିମୁଖ୍ୟ ? ବିରୋଧୀ ଦଳଙ୍କ ମଧ୍ୟରେ ଦେଶର ଅନ୍ୟତମ ବରିଷ୍ଠ ନେତା ତଥା ଅଜାତଶତ୍ରୁ ଶରଦ ପାୱାରଙ୍କ ଦଳ ଅନ୍ୟତମ । ନିକଟରେ ବିରୋଧୀ ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ଘେରୁଛନ୍ତି । ଏହି ସମୟରେ ଶରଦ ପାୱାର ନିଜର ଆଭିମୁଖ୍ୟ ବଦଳାବା ଭଳି ଜଣାପଡିଛି । ଶରଦ ପାୱାର କହିଛନ୍ତି, ହିଣ୍ଡେନବର୍ଗ ରିପୋର୍ଟ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ହେଉଛି । ଏପରି ସ୍ଥିତିରେ ଜେପିସି ତଦନ୍ତର ଆବଶ୍ୟକ ନାହିଁ ।

ସେହିପରି ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇବା ଅନାବଶ୍ୟକ ବୋଲି ସେ କହିଛନ୍ତି । ଏହାର କୌଣସି ମୂଲ୍ୟ ନାହିଁ । ଆହୁରି ଅନେକ ପ୍ରସଙ୍ଗ ରହିଛି ଉଠିବା ଦରକାର ବୋଲି କହିଛନ୍ତି । ଆମ୍ ଆଦମୀ ପାର୍ଟି ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରି ବିଜେପି ଏବଂ ଦଳର ଶୀର୍ଷ ନେତା ମୋଦୀଙ୍କୁ ଘେରିବାକୁ ଚେଷ୍ଟା କରିଛି । ଏହି ସମୟରେ ଶରଦ ପାୱାରଙ୍କ ଭଳି ନେତା ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି । ଏହାବାଦ ଇଭିଏମକୁ ନେଇ ବିରୋଧୀ ନିକଟରେ ବୈଠକ କରିଥିଲେ । ଆଉ ଇଭିଏମ୍ ହ୍ୟାକ କରାଯାଇ ବିଜେପି ନିର୍ବାଚନ ଜିତୁଛି ବୋଲି ବିରୋଧୀ ଦାବି କରିଛନ୍ତି ।

ଏହାକୁ ନେଇ ବସିଥିବା ବୈଠକରେ ନିଜେ ଶରଦ ପାୱାର ମଧ୍ୟ ଥିଲେ । ଏବେ କିନ୍ତୁ ମହାରାଷ୍ଟ୍ରର ବିରୋଧୀ ଦଳ ନେତା ଅଜିତ ପାୱାର କହିଛନ୍ତି, ଇଭିଏମରେ କୌଣସି ତ୍ରୁଟି ନାହିଁ । ଜଣେ ବ୍ୟକ୍ତି ପାଇଁ ଇଭିଏମକୁ ହ୍ୟାକ କରିହେବ ନାହିଁ । ଯଦି ଇଭିଏମରେ ତ୍ରୁଟିଥାନ୍ତା ତାହେଲେ ଅନ୍ୟ ରାଜ୍ୟରେ କଂଗ୍ରେସ ଏବଂ ଅନ୍ୟ ଦଳ କିଭଳି ସରକାର ଗଢିଲେ ବୋଲି ଅଜିତ ପ୍ରଶ୍ନ କରିଛନ୍ତି । ମହାରାଷ୍ଟ୍ର ହେଉ ଅବା କେନ୍ଦ୍ରରେ ଏନସିିପି ଓ କଂଗ୍ରେସ ବିରୋଧୀ ଦଳରେ ରହିଛନ୍ତି । ଏପରି ସ୍ଥିତିରେ ପାୱାରଙ୍କ ଆଭିମୁଖ୍ୟ ବିଜେପି ଓ ମୋଦୀଙ୍କ ପ୍ରତି ବଦଳିବାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।