ବିଧାୟକ ହେବ ତ ଏମିତି । ରୋଗୀଙ୍କ ପାଇଁ ହାତ ଯୋଡିଲେ, କେହି ନ ଶୁଣିବାରୁ ନିଜେ ବ୍ୟାଣ୍ଡେଜ କନା ଧରି ଡ୍ରେସିଂ କଲେ ।

1,947

କନକ ବ୍ୟୁରୋ : ଜନତାଙ୍କ ପାଇଁ ନେହୁରା ହେଲେ ନେତା । ଆଉ ଯେତେବେଳେ କେହି ନ ଶୁଣିଲେ ନିଜେ ହାତରେ ବ୍ୟାଣ୍ଡେଜ କନା ଧରି ରୋଗୀଙ୍କର ସେବା କରିବା ଆରମ୍ଭ କରିଲେ । ଏଭଳି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଜନତାଙ୍କ ପାଇଁ ନେତା ନେହୁରା ହେଉଥିବାର ଦୃଶ୍ୟ ଖୁବ କ୍ୱଚିତ ଦେଖିବାକୁ ମିଳିଥାଏ । ଆଉ ଏବେ ରାଉରକେଲା ହସ୍ପିଟାଲରେ ବିଧାୟକ ସାରଦା ନାୟକଙ୍କୁ ଏଭଳି ଅନ୍ଦାଜରେ ଦେଖିବାକୁ ମିଳିଥିଲା ।

ବିପଦ ବେଳେ ଯିଏ ସାଥୀରେ ଛିଡା ହୁଏ ତାକୁ ପ୍ରକୃତ ବନ୍ଧୁ କୁହାଯାଏ । ଆଉ ଠିକ୍ ଏହାକୁ ପ୍ରମାଣିତ କରିଛନ୍ତି ରାଉରକେଲା ବିଧାୟକ ସାରଦା ନାୟକ । ଆଜି ବିଭିନ୍ନ ପ୍ରସଙ୍ଗ ନେଇ ରାଉରକେଲା ସରକାରୀ ହସ୍ପିଟାଲର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଉ ଏଥିପାଇଁ ଗୁରୁତର ଭାବେ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଘଣ୍ଟା ଘଣ୍ଟା ଧରି କାଉଣ୍ଟର ସାମ୍ନାରେ ଛିଡା ହୋଇ ରୋଗୀ ହିନସ୍ତା ହେଉଥିଲେ ମଧ୍ୟ ଆନ୍ଦୋଳନରୁ ହଟିନଥିଲେ କର୍ମଚାରୀ । ଆଉ ଏହାକୁ ନେଇ ରୋଗୀ ଓ ସମ୍ପକୀୟ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ହସ୍ପିଟାଲରେ ରୋଗୀ ହନ୍ତସନ୍ତ ହେଉଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଧାୟକ ସାରଦା ନାୟକ । କର୍ମଚାରୀଙ୍କୁ ଆନ୍ଦୋଳନରୁ ହଟି ଚିକିତ୍ସା କରିବାକୁ ନେହୁରା ହୋଇଥିଲେ । କିନ୍ତୁ କର୍ମଚାରୀ ମାନେ ଏହାକୁ ହାଲକାରେ ନେବାରୁ ତାତି ଉଠିଥିଲେ ସାରଦା । ଦବଙ୍ଗ ଷ୍ଟାଇଲରେ ନିଜ ସମର୍ଥକଙ୍କ ସହ ରୋଗୀଙ୍କୁ ଡ୍ରେସିଂ ରୁମକୁ ନେଇ ଆରମ୍ଭ କରିଥିଲେ ଡ୍ରେସିଂ । ଆଉ ବିଧାୟକଙ୍କୁ ଏଭଳି ଅନ୍ଦାଜରେ ଦେଖି ଚକିତ ହୋଇଯାଇଥିଲେ ସାଧାରଣ ଲୋକ । ଏପରିକି ଆନ୍ଦୋଳନ କରୁଥିବା କର୍ମଚାରୀ ମାନେ ମଧ୍ୟ ଧାରଣା ଛାଡି କାର୍ଯ୍ୟରେ ଯୋଗ ଦେଇଥିଲେ । ଆଉ ଏହାପରେ ସ୍ୱାଭାବିକ ହୋଇଥିଲା ରୋଗୀ ସେବା । ସାରଦାଙ୍କ ଏଭଳି ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।