ଘରକୁ କରିଛନ୍ତି ମିନି ମ୍ୟୁଜିୟମ । ସାଇତି ରଖିଛନ୍ତି ଅସିହା କାଳର ମସିହା ମୁଦ୍ରା ସହ ୧୩୫ ଦେଶର କଏନ । 

103

କନକ ବ୍ୟୁରୋ: ପୁରୁଣା ଜିନିଷକୁ ସାଇତି ରଖିବା ଅନେକ ଲୋକଙ୍କୁ ପସନ୍ଦ । ଆଉ ଏଭଳି ଏକ ନିଶାକୁ ଅନେକ ଲୋକ ପୂରଣ ମଧ୍ୟ କରୁଛନ୍ତି । ଆଜି ଆମେ ଏମିତି ଜଣେ ଲୋକଙ୍କ କଥା କହିବୁ ଯାହାଙ୍କ ନିଶା ପୁରୁଣା ମୁଦ୍ରା ସାଇତି ରଖିବା । ପିଲାଟି ଦିନରୁ ନିଜର ଏଭଳି ଏକ ରୁଚିକୁ ପୂରଣ କରୁଛନ୍ତି ଏହି ବ୍ୟକ୍ତି । କାହିଁ କେତେ ଅସିହା କାଳର ମସିହା ମୁଦ୍ରାଠୁ ଆରମ୍ଭ କରି ଦେଶ ବିଦେଶର ଅନେକ ପୁରୁଣା ମୁଦ୍ରାକୁ ସେ ସାଇତି ରଖିଛନ୍ତି । ଆଉ ଯେଉଁଥିପାଇଁ ସେ ବନିଯାଇଛନ୍ତି କଏନ୍ ମ୍ୟାନ୍ ।

ଏ ହେଉଛନ୍ତି ରାଉରକେଲାର କବିଚନ୍ଦ୍ର ମହନ୍ତ । ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସେ ଚାକିରି କରିଛନ୍ତି । ହେଲେ ତାଙ୍କ ନିଶା ପୁରୁଣା ମୁଦ୍ରା ସଂଗ୍ରହ କରିବା । ‘ସେଭ କଏନ, ସେଭ ହେରିଟେଜ’ ଥିମକୁ ଆଧାର କରି ସେ ମୁଦ୍ରା ସଂଗ୍ରହ କରି ଚାଲିଛନ୍ତି । ଏହା ମଧ୍ୟରେ ସେ ଭାରତ ସ୍ୱାଧୀନତା ପୂର୍ବର ୮୬ଟି ରାଜା ରାଜୁଡା କାଳରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିଛନ୍ତି । ଏହାସହ ୧୩୫ଟି ଦେଶର ନୂଆ ଓ ପୁରୁଣା ମୁଦ୍ରା ମଧ୍ୟ ରଖିଛନ୍ତି ।

କବିଚନ୍ଦ୍ର ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ନୁମିସମାଟିକ ଓ ଆର୍କଲୋଜୀରେ ସ୍ନାତ୍ତୋକତର କରିଛନ୍ତି । ଏବେ ଚାକିରି କରିବା ସହ ଲଣ୍ଡନ ସ୍ଥିତ ଓରିଏଣ୍ଟାଲ ନୁମିସମାଟିକ ସୋସାଇଟି ଓ କୋଲକାତା ସ୍ଥିତ ନୁମିସମାଟିକ ସୋସାଇଟି ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସ୍କୁଲ ଓ କଲେଜରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ କବିଚନ୍ଦ୍ରଙ୍କଠାରୁ ମୁଦ୍ରା ସମ୍ପନ୍ଧୀୟ ତଥ୍ୟ ସଂଗ୍ରହ ସହ ଜ୍ଞାନ ଆହରଣ ମଧ୍ୟ କରୁଛନ୍ତି ।

ଆଗକୁ ମୁଦ୍ରା ସମ୍ବନ୍ଧୀୟ ପୁସ୍ତକ ପ୍ରକାଶ କରିବାକୁ ମଧ୍ୟ ସେ ଯୋଜନା କରୁଛନ୍ତି । ଏପରି କି ସେ ପ୍ରାୟ ୮ଟି ପୁସ୍ତକ ଲେଖି ସାରିଥିବା କହିଛନ୍ତି । ହେଲେ ଅର୍ଥ ଅଭାବରୁ ଏ ସବୁ ପୁସ୍ତକ ପ୍ରକାଶିତ ହୋଇ ପାରୁନାହିଁ । ଏହି ସବୁ ମୁଦ୍ରାରୁ ବିଜ୍ଞାନ, ପ୍ରାଚୀନ ପରମ୍ପରା, ସାହିତ୍ୟ ଓ ଇତିହାସ ବିଷୟରେ ଜାଣି ହୁଏ । ଯଦି କବିଚନ୍ଦ୍ରଙ୍କୁ ସରକାରୀ ସହାୟତା ମିଳିପାରନ୍ତା ତେବେ ସେ ଏହାକୁ ଆହୁରି ଆଗକୁ ନେଇ ପାରନ୍ତେ ।