ଇ-ୱେଷ୍ଟରୁ ହାଇବ୍ରିଡ଼୍ ସାଇକେଲ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ରୀ ରୋନାଲି ମହାନ୍ତି : ବିନା ପେଡାଲରେ ଗଡୁଛି ବାଇସାଇକେଲ

40

କନକ ବ୍ୟୁରୋ : ଇୱେଷ୍ଟରୁ ତିଆରି ହେଲା ହାଇବ୍ରିଡ଼୍ ସାଇକେଲ୍ । ଅର୍ଥାତ୍ ଲାପଟପର ଅଚଳ ବ୍ୟାଟେରୀରେ ହାଇବ୍ରିଡ ସାଇକେଲ ତିଆରି କଲେ ଛାତ୍ରୀ । ଅନୁଗୁଳ ନାଲକୋ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ରୋନାଲି ମହାନ୍ତି ଏହି ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିଛନ୍ତି । ଯାହାକୁ ନିଜେ ଚଳାଇ ସ୍କୁଲ ଯିବା ଆସିବା କରୁଛନ୍ତି । ସାଇକେଲଟି ଉଭୟ ବ୍ୟାଟେରୀ ଓ ପ୍ୟାଡେଲ ମାରିଲେ ଚାଲିବ । ଏହି ସାଇକେଲରେ ଗୋଟିଏ ୧୦ ଆମ୍ପିୟରର ମୋଟର ଓ ୨୪ ଭୋଲଟ୍, ୨୫୦ ୱାଟର ବ୍ୟାଟାରୀ, ଲାଇଟ୍, ହର୍ଣ୍ଣ ବ୍ୟବହାର କରାଯାଇଛି ।

ସାଇକେଲ ବ୍ୟାଟାରୀକୁ ୪ ଘଂଟା ଚାର୍ଜ କଲେ ଏହା ୨ ଘଂଟା ଅର୍ଥାତ୍ ୪୦ କିଲୋମିଟର ପର୍ଯ୍ୟନ୍ତ ୧୨୦ କିଲୋଗ୍ରାମ ଓଜନ ବୋହି ପାରିବ । ଏହି ସାଇକେଲକୁ ତିଆରି କରିବା ପାଇଁ ରୋନାଲିଙ୍କୁ ୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଛି । ତେବେ ଏହି ସାଇକେଲର ବଜାର ମୂଲ୍ୟ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ରହିଛି । ତେହେ ରୋନାଲିଙ୍କ ହାଇବ୍ରିଡ ସାଇକେଲକୁ ଦେଖିବା ପାଇଁ ତାଙ୍କ ଘରେ ଏବଂ ସ୍କୁଲରେ ଲୋକଙ୍କ ଭିଡ ଲାଗୁଛି । ଅନୁଗୁଳ ନାଲକୋ ସ୍ଥିତ ଏଫସିଆଇ ଛକ ନିକଟରେ ଏକ ଭଡାଘରେ ରୁହନ୍ତି ରୋନାଲି ମହାନ୍ତି ଓ ତାଙ୍କ ବାପା ରଂଜିତ ମହାନ୍ତି ଏବଂ ତାଙ୍କ ମାଆ ।

ରୋନାଲିଙ୍କ କହିବା ଅନୁସାରେ ଆଜିକା ସମୟରେ ଅଧିକ ଗାଡ଼ିଚଳାଚଳ ହେତୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଆଉ ଏପରି ପରିସ୍ଥିତିରେ ସ୍କୁଲ ପିଲାମାନେ ଯଦି ଏପରି ସାଇକେଲ ବ୍ୟବହାର କରନ୍ତି, ତେବେ କିଛିକାଂଶରେ ପ୍ରଦୂଷଣ କମ୍ ହେବ । ତେବେ ରୋନାଲିଙ୍କ ହାଇବ୍ରିଡ ସାଇକେଲ ଉଦ୍ଭାବନ ଆଗାମୀ ସମୟରେ ନିଶ୍ଚୟ କିଛି ପରିବର୍ତ୍ତନ ଆଣିବ ବୋଲି ଆଶାକରାଯାଉଛି ।