ଆଜି ଇତିହାସ ରଚିବେ ରୋହିତ ! ବିଶ୍ୱରେକର୍ଡ ପାଇଁ ଆଉ ମାତ୍ର ୫୮ ରନର ଦୂରତା ।

540

ହିଟମ୍ୟାନ ରୋହିତ ଶର୍ମା ଆଉ ଏକ ରେକର୍ଡ ଆଡକୁ ପାଦ ବଢାଉଛନ୍ତି । ଯାହାକି କ୍ରିକେଟ୍ ଦୁନିଆରେ ଭାରତର ‘ରାଜ’ ଜାରି ରଖିବ । ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟିରେ ରୋହିତ ଶର୍ମାଙ୍କ ପାଖରେ ବିଶ୍ୱ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି । ଆଉ ସବୁଠାରୁ ବଡ କଥା ହେଉଛି ଏହି ରେକର୍ଡ ଦ୍ୱାରା ରୋହିତ ଲିଟିଲ୍ ମାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ ।

ରୋହିତଙ୍କ ପାଖରେ ରହିଛି ଇତିହାସ ରଚିବାର ସୁଯୋଗ । ରବିବାର ସିଡନୀରେ ଖେଳାଯିବାକୁ ଥିବା ମ୍ୟାଚରେ ରୋହିତ ଶର୍ମା ୫୮ ରନ କଲେ ଭାରତ ନାମରେ ଆଉ ଏକ କୀର୍ତ୍ତିମାନ ଯୋଡି ହୋଇଯିବ । ୩୧ ବର୍ଷୀୟ ରୋହିତ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୮୧ଟି ଇନିଂସରୁ ୨,୨୧୪ ରନ ସଂଗ୍ରହ କରିସାରିଲେଣି । ଆଉ ଟି-ଟ୍ୱେଣ୍ଟିରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳୀଙ୍କ ସୂଚିରେ ଟପରେ ରହିବାକୁ ରୋହିତଙ୍କୁ ଆଉ ମାତ୍ର ୫୮ ରନର ଆବଶ୍ୟକତା ରହିଛି । ଏବେ ଏହି ସୂଚୀରେ ନ୍ୟୁଜଲାଣ୍ଡର ମାର୍ଟିନ୍ ଗୁପ୍ତିଲ୍ ଟପରେ ଅଛନ୍ତି । ସେ ମୋଟ୍ ୭୩ଟି ମ୍ୟାଚରୁ ୨,୨୭୧ ରନ୍ ସଂଗ୍ରହ କରିଛନ୍ତି ।

ତେବେ ରୋହିତଙ୍କ ଏହି ରେକର୍ଡ ଦ୍ୱାରା ଭାରତକୁ ଏକ ବଡ କୀର୍ତ୍ତିମାନ ଉପଲବ୍ଧ ହେବ । ପ୍ରକୃତ କଥା ହେଉଛି, ରୋହିତ ଆଉ ମାତ୍ର ୫୮ ରନ କଲେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ସବୁଠୁ ଅଧିକ ରନ କରିବାରେ କେବଳ ଭାରତୀୟ ଖେଳାଳୀ ହିଁ ରହିବେ । ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ସଚିନ୍ ତେନ୍ଦୁଲକର ଟପରେ ଥିବା ବେଳେ ଟି-ଟ୍ୱେଣ୍ଟରେ ମଧ୍ୟ ଜଣେ ଭାରତୀୟ ଖେଳାଳୀ ଟପରେ ରହିବେ । ତେବେ ଟି-ଟ୍ୱେଣ୍ଟରେ ସବୁଠାରୁ ଅଧିକ ଶତକ ରୋହିତ ଶର୍ମା ହିଁ କରିଛନ୍ତି ।

ଆଉ ସବୁଠାରୁ ବଡ କଥା ହେଉଛି, ସବୁଠାରୁ ଅଧିକ ଛକା ମାରିବାର କ୍ରେ୍ ମଧ୍ୟ ରୋହିତ ନିଜ ନାମରେ କରିପାରିବେ । ଏଥିରେ ସେ କେବଳ ୮ଟି ଛକା ଦୂରରେ ଅଛନ୍ତି । ଆଉ ଆଜି ଯଦି ରୋହିତ ଏହି ସଫଳତା ହାସଲ କରିପାରିବେ ନାହିଁ ତେବେ ତାଙ୍କୁ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ନ୍ୟୁଜଲାଣ୍ଡ ବିପକ୍ଷ ସିରିଜ ପାଇଁ ଅପେକ୍ଷା କରିବାକୁ ହେବ ।