ଜୟପୁର ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଜେରା । ବାହାରେ ଲାଗିଲା ପ୍ରିୟଙ୍କାଙ୍କ ସହ ପୋଷ୍ଟର, ଜୋର ଧରିଲା ରାଜନୀତି । 

99

କନକ ବ୍ୟୁରୋ : ଜୟପୁର ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଜେରା । ଆଉ କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର । ଏକାଧିକ ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ଓ ସ୍ୱାମୀ ରବର୍ଟ ଭଡ୍ରାଙ୍କ ଫଟୋ ସ୍ଥାନ ପାଇଛି । ଏଥିସହ ଲେଖାଯାଇଛି ଆଗାମୀ ଲୋକସଭା ନିର୍ବାଚନରେ ଭାଇ-ଭଉଣୀ କ୍ଷମତାକୁ ଫେରିବେ । ଅର୍ଥାତ ଗୋଟିଏ ପଟେ ଭଡ୍ରାଙ୍କ ଦୁର୍ନୀତି ଉପରୁ ପରଦା ହଟାଇବାକୁ ଜୋରଦାର ପ୍ରୟାସ କରୁଛି ବିଜେପି । ଆଉ ଏହାକୁ ପ୍ରସଙ୍ଗ କରି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛିି କଂଗ୍ରେସ ଦଳ ।

ଇଡି କାର୍ଯ୍ୟାଳୟରେ ଭଡ୍ରାଙ୍କୁ ଜେରା । ବାହାରେ ପ୍ରିୟଙ୍କାଙ୍କ ସହ ପୋଷ୍ଟର । ରାଜସ୍ଥାନ ଜୟପୁରରେ ଥିବା ଇଡି କାର୍ଯ୍ୟାଳୟ ସାମ୍ନାରେ ଲଗାଯାଇଥିବା ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଭଉଣୀ ତଥା ଦଳର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସହ ପୋଷ୍ଟରରେ ବି ରହିଛି ସ୍ୱାମୀ ରବର୍ଟ ଭଡ୍ରାଙ୍କ ଫଟୋ । ଅର୍ଥାତ ଗାନ୍ଧି ପରିବାରର ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଡ୍ରାଙ୍କ ବିରୋଧରେ ଚାଲିଥିବା ଇଡି ଛାନଭିନକୁ ରାଜନୀତିର ରଙ୍ଗ ଦେବାକୁ ଭରପୁର ପ୍ରୟାସ କରିଛି କଂଗ୍ରେସ ଦଳ । ମଙ୍ଗଳବାର ଭଡ୍ରା ଇଡିରେ ହାଜର ହେବା ଆଗରୁ ଏହିଭଳି ଏକାଧିକ ପୋଷ୍ଟର ଛାଇଯାଇଛି । ଯେଉଁଥିରେ ଲେଖାଯାଇଛି, ଆଗାମୀ ଲୋକସଭା ନିର୍ବାଚନରେ ରାହୁଲ ଓ ପ୍ରିୟଙ୍କା କଂଗ୍ରେସକୁ କ୍ଷମତାକୁ ଆଣିବାରେ ସମର୍ଥ ହେବେ । ହିନ୍ଦିରେ ଲେଖାଅଛି- ଜନ୍ ଜନ୍ କି ୟହି ପୁକାର… ରାହୁଲ ଜୀ, ପ୍ରିୟଙ୍କା ଜୀ ଅବକି ବାର ।

ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଡ୍ରାଙ୍କ ବିରୋଧରେ ଇଡି ଛାନଭିନକୁ ମୋଦି ସରକାରଙ୍କ ରାଜନୈତିକ ଆକ୍ରୋଶ ବୋଲି ବାରମ୍ବାର ଅଭିଯୋଗ କରିଆସୁଛି କଂଗ୍ରେସ । ଆଉ ଏଭଳି ପୋଷ୍ଟର ଜରିଆରେ ପୁରା ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରିଛି । ବିକାନେର ଜମି ଦୁର୍ନୀତି ମାମଲାରେ ଗତବର୍ଷ ନଭେମ୍ବରରେ ତୃତୀୟଥର ଲାଗି ରବର୍ଟ ଭଡ୍ରା ଓ ତାଙ୍କ ମାଆଙ୍କୁ ସମନ କରିଥିଲା ଇଡି । ଏମାନେ ଇଡିରେ ହାଜର ହେବା ପରିବର୍ତେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଜାନୁଆରୀ ୨୨ ତାରିଖରେ ଯୋଧପୁର ବେଂଚ ଏମାନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ବିକାନେରର କୋଲାୟତ ଗାଁରେ ଏକ ଜମି ଖରିଦ କରିଥିଲା ରବର୍ଟ ଭଡ୍ରାଙ୍କ ସ୍କାଏଲାଇଟ୍ ହସ୍ପିଟାଲିଟି କମ୍ପାନି । ଗରିବ ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଜମିକୁ ହାତେଇବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ ୨୦୧୫ରେ ମନିଲଣ୍ଡରିଂ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା ଇଡି । ଅଳ୍ପ ଦରରେ ଜମି କିଣି ଭଡ୍ରାଙ୍କ କମ୍ପାନି ଏହାକୁ ୫କୋଟିରୁ ଅଧିକ ମୂଲ୍ୟରେ ଫିନଲିଜକୁ ବିକ୍ରି କରିଥିବା ଅଭିଯୋଗ ରହିଛି ।

ଗତ ୪ବର୍ଷ ୮ମାସ ଭିତରେ କେନ୍ଦ୍ରୀୟ ସଂସ୍ଥା ଏ ବାବଦରେ କୌଣସି ପଦକ୍ଷେପ ନେଇନଥିବାବେଳେ ହଠାତ୍ ଲୋକସଭା ନିର୍ବାଚନ ପୂର୍ବରୁ ତତ୍ପର ହୋଇପଡିଛି । ପତ୍ନୀ ପ୍ରିୟଙ୍କା ଗାନ୍ଧିଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ପରେ ମୋଦି ସରକାର ଉଦ୍ଦେଶ୍ୟମୂଳକ ଭାବେ ସ୍ୱାମୀଙ୍କ ପଛରେ ଇଡିକୁ ଲଗାଇ ଦେଇଥିବା କଂଗ୍ରେସ ଅଭିଯୋଗ କରୁଛି ।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି ରାଜସ୍ଥାନରେ ସରକାରକୁ ଫେରିଛି କଂଗ୍ରେସ । ଆଉ ସେହି ରାଜସ୍ଥାନରେ ଯେତେବେଳେ କଂଗ୍ରେସ ଦଳର ସବୁଠାରୁ ପ୍ରଭାବଶାଳୀ ପରିବାର ଉପରେ ଛାନଭିନ୍ ଚାଲିଛି ଏହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି । ଦଳୟ ସମର୍ଥକମାନେ ରାହୁଲ ଓ ପ୍ରିୟଙ୍କାଙ୍କ ସହ ଭଡ୍ରାଙ୍କ ପୋଷ୍ଟର ମାରି ବିଜେପିକୁ ବଡ ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି । ପରିବାର ଓ ସଂପର୍କୀୟଙ୍କ ବିରୋଧରେ ଯେତେ ଦୁର୍ନୀତି ଅଭିଯୋଗ ଆଣିଲେ ମଧ୍ୟ ରାହୁଲ ଓ ପ୍ରିୟଙ୍କା ଯୋଡି ଦିଲ୍ଲୀରେ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବାରେ ସମର୍ଥ ହେବେ ବୋଲି ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି ।