ମଣ୍ଡି ବନ୍ଦ ବିରୋଧରେ କାଲିମେଳାରେ ରାସ୍ତାରୋକ । ଡ଼ିସେମ୍ବରରୁ ଖୋଲିଥିବା ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ଧାନ ବିକ୍ରି ହୋଇନଥିବାରୁ ବଢୁଛି ଅସନ୍ତୋଷ । 

55

କନକ ବ୍ୟୁରୋ : ଧାନ ମଣ୍ଡି ବନ୍ଦକୁ ବିରୋଧ । ରାସ୍ତାରୋକ କଲେ ଚାଷୀ । ଆଜି ଠାରୁ କାଲିମେଳା ବ୍ଲକରେ ଧାନମଣ୍ଡି ବନ୍ଦ ହେବାର ଖବର ମିଳିବା ପରେ ଶହ ଶହ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । କାଲିମେଳା ମାଲକାନଗିରି ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଡ଼ିସେମ୍ବର ମାସରୁ ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇଥିଲା ।

ଆଜି ଠାରୁ ବନ୍ଦ କରିବାକୁ ପ୍ରଶାସନ ନିସ୍ପତି ନେଇଛି । ଯାହାକୁ ଘୋର ବିରୋଧ କରିଛନ୍ତି ଚାଷୀ । କାରଣ କାଲିମେଳା ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ିରହିଛି । କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କାଲିମେଳାରେ ପହଂଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତିବାଦରେ ସାମିଲ ହୋଇଛନ୍ତି ।

ଚାଷୀମାନଙ୍କୁ ସରକାର ଟୋକେନ ଦେଇଥିଲେ ମଧ୍ୟ ଧାନ ମଣ୍ଡି ବନ୍ଦ ହୋଇଯିବାରୁ ସେମାନେ ଏବେ ଅମଳ ଧାନ କାହାକୁ ବିକ୍ରୀ କରିବେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଧାନ ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚାଷୀ କହିଛନ୍ତି । ଜାତୀୟ ରାଜପଥରେ ଶହଶହ ବସ୍ତା ଧାନ ରଖି ରାସ୍ତାରୋକ କରାଯାଇଥିବା ବେଳେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।