ରାସ୍ତା କହୁଛି ଖଣି ଅଞ୍ଚଳ ବିକାଶର କଥା । ରାଜ୍ୟ ରାଜକୋଷକୁ ହଜାର ହଜାର କୋଟିର ରାଜସ୍ୱ ଦେଉଥିବା ଅଂଚଳକୁ ନାହିଁ ଭଲ ରାସ୍ତା, କାଦୁଅ ପଚ ପଚ ରାସ୍ତାରେ ହିନସ୍ତା ହେଉଛନ୍ତି କୋଇଡ଼ା ବାସିନ୍ଦା ।

77

କନକ ବ୍ୟୁରୋ  : ରାସ୍ତା କହୁଛି ଖଣି ଅଞ୍ଚଳ ବିକାଶର କଥା । ରାଜ୍ୟ ରାଜକୋଷକୁ ହଜାର ହଜାର କୋଟିର ରାଜସ୍ୱ ଦେଉଥିବା ଅଞ୍ଚଳକୁ ନାହିଁ ଭଲ ରାସ୍ତା । କାଦୁଅ ପଚପଚ ରାସ୍ତାରେ ହିନସ୍ତା ହେଉଛନ୍ତି କୋଇଡ଼ା ବାସିନ୍ଦା । ରାସ୍ତା କଡରେ କୋଇଡା ମହାବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସବୁ ରହିଛି କିନ୍ତୁ ଖଣିଜ ବୋଝେଇ ଟ୍ରକ ଓ ଟିପର ପାଇଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ଏମିତି ରାସ୍ତା ଯୋଗୁଁ ଠପ୍ ହୋଇଗଲାଣି ଜରୁରୀକାଳିନ ସେବା । ପାଠ ପଢିବାକୁ ସ୍କୁଲ-କଲେଜ ଯାଇ ପାରୁନାହାନ୍ତି ଛାତ୍ରଛାତ୍ରୀ । ଖଣିଜ ବୋଝେଇ ଟ୍ରକ ଓ ଟିପର ପାଇଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ସୁନ୍ଦରଗଡ ଜିଲ୍ଲା କୋଇଡା ତହସିଲ ଛକ ଠାରୁ ତେହେରାଇ ଛକ ପର୍ଯ୍ୟନ୍ତ ରାସ୍ତାର ଏମିତି ଅବସ୍ଥା ଯେ ଯେଉଁଠି ପାଦ୍ ପକାଇବା ବି କଷ୍ଟକର ।

ବ୍ଲକ ଅଗ୍ନିଶମ ଅଫିସ, ଓଡିଶା ଖଣି ନିଗମ ଆଂଚଳିକ କାର୍ଯ୍ୟାଳୟ, ପଂଚାୟତ କାର୍ଯ୍ୟାଳୟ.. କୋଇଡା ମହାବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସବୁ ଅଛି ଏଇ ରାସ୍ତା କଡରେ । କିନ୍ତୁ ଭାଗ୍ୟର ବିଡମ୍ବନା, ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଭଲ ରାସ୍ତାଟିଏ ନିର୍ମାଣ ହୋଇ ପାରିଲା ନାହିଁ । ତେଣୁ ଏହି କାଦୁଅ ପଚପଚ ରାସ୍ତାକୁ କବଜା କରି ନେଇଛି ଲୁହାପଥର ବୋଝେଇ ଟ୍ରକ ଓ ଟିପର ।

ରାସ୍ତା କଡରେ ବ୍ଲକ, ତହସିଲ, ଖଣି କାର୍ଯ୍ୟାଳୟ ଥିଲେ ବି ଏହାର ସମାଧାନ ପାଇଁ କାହାର ନଜର ନାହିଁ । ତେଣୁ ଖଣିଜ ପଦାର୍ଥରେ ଭରପୁର କୋଇଡା ଓ ଏହାର ଆଖପାଖ ଅଂଚଳର ଲୋକେ ଭାଗ୍ୟକୁ ଆଦରି ଏ ରାସ୍ତାରେ ଯାତାୟତ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି, ସରକାରଙ୍କୁ ହଜାର ହଜାର କୋଟିର ରାଜସ୍ୱ ଦେଉଥିବା ଖଣି ଅଂଚଳର ବିକାଶ କ’ଣ ଏମିତି ହୁଏ?