ମୌଳିକ ସୁବିଧାରୁ ବଂଚିତ ପାଳଲହଡ଼ା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି : ନା ଅଛି ରାସ୍ତା ନା କୂଅ, ପାନୀୟ ଜଳ ପାଇଁ ଚୁଆ ଭରସା

96

କନକ ବ୍ୟୁରୋ : ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି । ପ୍ରାୟ ୬୦ଟି ପରିବାର ବାସକରୁଥିବା ଏହି ଗାଁ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇରହିଛି ।

ସୂଚନା ଅନୁଯାୟୀ, ଡାଲୋ ଛକରୁ ପେଚାମୁଣ୍ଡି ମୁଖ୍ୟରାସ୍ତାରେ ଦୁଇ କି.ମି. ଗଲେ କିଛି ଦୂରରେ ପଡ଼େ ଖଣ୍ଡୁଆଳସାହି। ଗାଁକୁ ରାସ୍ତା ନାହିଁ। ପାଦଚଲା ରାସ୍ତାରେ ଗମନାଗମନ । ଗାଁର ‌ଶିଶୁମାନେ ଦୁଇ କି.ମି. ଶିମିଳିପାଳ ଅଙ୍ଗନବାଡ଼ିକୁ ଓ ଛୋଟ ପିଲାମାନେ ୩ କି.ମି. ଦୂର ଡାଲୋ ସ୍କୁଲ୍‌କୁ ପଢ଼ିବାକୁ ଯାଉଛନ୍ତି। ରାସ୍ତା ଜଙ୍ଗଲିଆ ହୋଇଥିଲେ ବି ପିଲାମାନେ ସେଥିରେ ଚଳାଚଳ କରିବା ପାଇଁ ବାଧ୍ୟ ହେଉଛନ୍ତି । ଗାଁରେ ନଳକୂଅଟିଏ ନାହିଁ । ସେଠାରୁ ଦେଢ଼ କି.ମି. ଦୂରରେ ଜଙ୍ଗଲ ଭିତର ପାଦଚଲା ରାସ୍ତାରେ ଗଲେ ପଡ଼େ ମାଙ୍କଡ଼ା ନଦୀ । ନଦୀକୂଳରେ ଚୁଆ ଖୋଳି ଅଧିବାସୀମାନେ ପାନୀୟ ଜଳ ସଂଗ୍ରହ କରୁଛନ୍ତି। କି ଖରା, କି ବର୍ଷା, କି ଶୀତ ନଦୀକୂଳରୁ ପାଣିମୁନ୍ଦେ ନଆଣିଲେ ନଚଳେ ।

ପ୍ରଶାସନ ସେମାନଙ୍କର ଏହି ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଗାଁର ଅହଲ୍ୟା ଖଣ୍ଡୁଆଳ ଓ ବରିଷ୍ଠ ନାଗରିକ ବୁଧୁରାମ ଖଣ୍ଡୁଆଳ। ବର୍ଷା ଦିନେ ଗାଁରୁ ବାହାରିବା ମୁସ୍କିଲ୍‌ ହେଉଛି। ଜଙ୍ଗଲ ଘେରା ପାଦଚଲା ରାସ୍ତାରେ ଯାଇ ନଦୀକୂଳରୁ ପାଣି ଆଣିବା ପାଇଁ ନାକେଦମ୍‌ ହେବାକୁ ପଡ଼ୁଛି । ଆମେ ଯମ ଯନ୍ତ୍ରଣା ଭୋଗୁଛୁ ବୋଲି କହିଛନ୍ତି ଅହଲ୍ୟା ଓ ବୁଧୁରାମ । ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନ୍ୟ ଗାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆମକୁ କାହିଁକି ଏହି ମୌଳିକ ସୁବିଧାରୁ ବଂଚିତ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ଗାଁରେ ନଳକୂଅ ଖୋଳାଯିବା ସହ ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି ।