ଆଧା ରହିଗଲା ପ୍ରଥମାଷ୍ଟମୀ । ପହଞ୍ଚି ପାରିଲାନି ନୂଆ ଜାମା । ଦୁର୍ଘଟଣାରେ ଆଖିବୁଜିଲେ ଅଜା, ପଢୁଆଁ ଅପେକ୍ଷାରେ ନାତି…

551

କନକ ବ୍ୟୁରୋ: ଆଧା ରହିଗଲା ପ୍ରଥମାଷ୍ଟମୀ । ପହଞ୍ଚି ପାରିଲାନି ନୂଆ ଲୁଗା । ମାମୁ ଘରୁ ଆସୁଥିବା ପ୍ରଥମାଷ୍ଟମୀ ଭାର, ନୂଆ ଜାମା ଅଧାରେ ଅଟକିଗଲା ଆଉ ଜାମା ନେଇ ଆସୁଥିବା ଅଜାଙ୍କୁ ଯମ ନେଇଗଲା । ସଡକ ଦୁର୍ଘଟଣାରେ ଶିକାର ହେବା ପରେ ମାମୁଘରୁ ପଢୁଆଁ ଭାର ନେଇ ଆସୁଥିବା ଅଜା ଆଖି ବୁଜିଛନ୍ତି । ପ୍ରଥମାଷ୍ଟମୀ ପୂର୍ବରୁ ଏମିତି ଏକ ଦୁଃଖଦ ଘଟଣା ଆସିଛି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ।

ତେବେ କାଲି ପ୍ରଥମାଷ୍ଟମୀ ଥିବାରୁ ଝିଅ ଘରକୁ ଭାର ନେଇଯାଉଥିଲେ ବାଲେଶ୍ୱର ରେମୁଣା ଅଞ୍ଚଳର ନିର୍ମଳ ମଣ୍ଡଳ । ନିଜ ପତ୍ନୀ ଓ ପୁଅ ରୋନିଙ୍କ ସହ ବାଇକରେ ଯାଉଥିଲେ ନିର୍ମଳ । ନାତିକୁ ପଢୁଆଁ କରିବାକୁ ଅଜା ଆଇ ଓ ମାମୁ ସାଙ୍ଗ ହୋଇ ଝିଅର ଶ୍ୱସୁର ଘର ଜଳେଶ୍ୱର ଗୋପାଳପ୍ରସାଦ ଯାଉଥିଲେ । ହେଲେ କିଏ ଜାଣିଥିଲେ ଅଧା ବାଟରେ ଛକି ବସିଥିବ ଯମ । ରାସ୍ତାରେ ଯାଉଥିବା ବେଳେ ଘୋଳେଇ ନିକଟରେ ଏକ ଗାତରେ ବାଇକ ପଡିଯିବା ପରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନିର୍ମଳ ମଣ୍ଡଳ । ଆଉ ଯମ ମୁହଁରୁ ଅଳ୍ପକେ ବର୍ତ୍ତିଯାଇ ଆହତ ହୋଇଛନ୍ତି ମାଆ-ପୁଅ ।

ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଜଳେଶ୍ୱର ଗୋପୀ କିଶାନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ତ୍ରୀ ସାମ୍ନାରେ ସ୍ୱାମୀ, ପୁଅ ଆଗରେ ବାପା ଆଖିବୁଜିଥିଲେ । ତେବେ ଆଉ କିଛି ବାଟ ଯାଇଥିଲେ ଝିଅ ଘରେ ପହଞ୍ଚିଥାନ୍ତେ ସମସ୍ତେ । ହେଲେ ମାତ୍ର ୪ କିଲୋମିଟର ପୂର୍ବରୁ ଚାଲିଗଲା ଅଜାଙ୍କ ଜୀବନ । ତେବେ ପ୍ରଥମାଷ୍ଟମୀ ପୂର୍ବରୁ ଏମିତି ଏକ ହୃଦୟବିଦାରକ ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ପ୍ରଥମାଷ୍ଟମୀକୁ ଫିକା ଫିକା କରିଛି ।