ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ବୁଢାବଳଙ୍ଗ, ସୁବର୍ଣ୍ଣରେଖା : ବାଲେଶ୍ୱର ରେମୁଣାରେ ବୁଡ଼ିଲା ତଳିଆ ଅଂଚଳ

ଚାଷ ଜମିରେ ମାଡ଼ିଗଲା ନଦୀଜଳ

97

କନକ ବ୍ୟୁରୋ : ଲଗାଣ ବର୍ଷାରେ ବାଲେଶ୍ୱରରେ ନଦୀ ଫୁଲୁଛି । ବୁଢାବଳଙ୍ଗ, ସୁବର୍ଣ୍ଣରେଖା ବିପଦସଙ୍କେତ ଅତିକ୍ରମ କରିନଥିବାବେଳେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତଳିଆ ଅଂଚଳ ଓ ଚାଷ ଜମି ବୁଡି ରହିଛି । ରେମୁଣା ଓ ସଦର ବ୍ଲକ ଅଂଚଳରେ ନଦୀଜଳ ଚାଷଜମିରେ ମାଡିଯାଇଛି ।

ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ପୋଖାରୀର ଭ୍ରମ ସୃଷ୍ଟି କରୁଛି । ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନର ଲଗାତାର ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବର୍ଷା ଜଳ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ବୃଦ୍ଧି ହୋଇଛି । ଦୁଇ କୂଳ ଧାରରେ ନଦୀରେ ପାଣି ପ୍ରବାହିତ ହେଉଛି । କେନାଲଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇପାରୁ ନାହିଁ ।

ବର୍ଷାର ମାତ୍ରା କମିଥିବା ବେଳେ ନଦୀର ସ୍ରୋତ କମିନାହିଁ । ଯାହାକି ଜମିରେ ପାଣି ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି । ନିଅଣ୍ଟିଆ ବର୍ଷା ପାଇଁ ଚଳିତ ବର୍ଷ ଖରିଫ ଚାଷ ପାଇଁ ହୋଇଥିବା ବୁଣା ତଳି ନଷ୍ଟ ହୋଇଯାଇଥିବା ବେଳେ ଚାଷୀ ମାନେ ପୁଣି ତଳି ବୁଣି ଯେନତେନ କ୍ଷେତକୁ ବଞ୍ଚାଇବାକୁ ପ୍ରୟାଶ କରିଥିଲେ । ବର୍ତ୍ତମାନ ବର୍ଷା ଜଳ କିପରି ନିଷ୍କାସନ ହେବ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ ।