ବିଜେପୁରରେ ଲେଖାହେଲା ଓଡ଼ିଶା ରାଜନୀତିର ନୂଆ ଇତିହାସ । ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ବାଜି ମାରିଲେ ରୀତା ସାହୁ, ଅମାନତ ହରାଇଲା କଂଗ୍ରେସ, କମିଲା ବିଜେପି ଭୋଟ୍ ।

392

କନକ ବ୍ୟୁରୋ : ଆଜି ଥିଲା ଅଗ୍ନିପରୀକ୍ଷାର ଦିନ । ମହାରାଷ୍ଟ୍ର ଓ ହରିୟାଣାରେ ବାଜି ଲାଗିଥିଲା ମୋଦିଙ୍କ ମ୍ୟାଜିକ । ଆଉ ଏପଟେ ଓଡିଶାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିଲା ନବୀନଙ୍କ ଲୋକପ୍ରିୟତାର ଆଉ ଏକ ପରୀକ୍ଷା । ବିଜେପୁରରେ ରେକର୍ଡ ରଚିଛନ୍ତି ରୀତା ସାହୁ । ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍ ପାଇ ୯୮ ହଜାରର ବୃହତ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ କରିଛନ୍ତି ରୀତା । ତାଙ୍କ ପଛକୁ ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭ ହଜାର ୯୬୭ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମାତ୍ର ୫ ହଜାର ୮୭୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

ବିଜେଡିର ଏହି ବିଜୟ ଉତ୍ସବ ଏବଂ ରୀତା ସାହୁଙ୍କ ନିର୍ବାଚନୀ ସଫଳତା, ଓଡ଼ିଶା ରାଜନୈତିକ ଇତିହାସରେ ହୁଏତ ସବୁବେଳେ ମନେ ରହିବ । ଯେତେବେଳେ ବି କୌଣସି ପ୍ରାର୍ଥୀ ଅଧିକ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହେବେ ଏହି ସଫଳତାର କାହାଣୀ ନିଶ୍ଚିତ ସାମ୍ନାକୁ ଆସିବ । କାରଣ ଓଡ଼ିଶାର ନିର୍ବାଚନୀ ଇତିହାସରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି ରୀତା ସାହୁ ।

ବିଜେପୁର ଉପ-ନିର୍ବାଚନରେ ରୀତା ସାହୁଙ୍କୁ ମିଳିଛି ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍ । ଆଉ ଏଠି ବିଜୟ ବ୍ୟବଧାନ ୯୭ ହଜାର ୯୯୦ ଭୋଟ୍ । କୌଣସି ପ୍ରାର୍ଥୀ ଏତେ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିଜୟୀ ହେବାରେ ଏହା ଏକ ବିରଳ ରେକର୍ଡ । ଏହା ପୂର୍ବରୁ

-୨୦୦୦ ବିଧାନସଭା ନିର୍ବାଚନରେ ବିଶ୍ୱଭୂଷଣ ହରିଚନ୍ଦନ ୯୪, ହଜାର ୫୫୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
-୨୦୧୯ ସାଧାରଣ ନିର୍ବାଚନରେ ସୌମ୍ୟରଂଜନ ପଟ୍ଟନାୟକ ୮୧ ହଜାର ୪୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଯଦି ବିଜେପୁରର ଗତ ୩ଟି ନିର୍ବାଚନକୁ ଦେଖାଯାଏ-

-୨୦୧୮ ଉପ-ନିର୍ବାଚନରେ ୪୨ ହଜାର ଭୋଟ୍ ବ୍ୟବଧାନରେ, ବିଜେପି ପ୍ରାର୍ଥୀଙ୍କଠାରୁ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ।
-୨୦୧୯ ସାଧାରଣ ନିର୍ବାଚନରେ ୫୭ ହଜାର ଭୋଟ୍ ବ୍ୟବଧାନରେ, ବିଜେପି ପ୍ରାର୍ଥୀଙ୍କଠାରୁ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ।
-ଆଉ ୨୦୧୯ ଉପ-ନିର୍ବାଚନରେ ବିଜୟ ବ୍ୟବଧାନ ପହଂଚିଛି ୯୭ ହଜାର ୯୯୦ ଭୋଟରେ

ଅର୍ଥାତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ରୀତା ସାହୁ । ଅନ୍ୟପଟେ ବିରୋଧୀଙ୍କ ଭୋଟ୍ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ।

-୨୦୧୮ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଥିଲେ ୬୦ ହଜାର ୯୩୯ ଖଣ୍ଡ ଭୋଟ୍
-୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲା ୫୩ ହଜାର ୪୮୨ ଭୋଟ୍
-ଆଉ ୨୦୧୯ ନିର୍ବାଚନରେ ବିଜେପିର ଭୋଟ୍ ସୀମିତ ରହିଛି ୩୭ ହଜାର ୯୬୭ ଭୋଟରେ
-ସେହିପରି କଂଗ୍ରେସ ପ୍ରାର୍ଥୀ ୨୦୧୮ ଉପ-ନିର୍ବାଚନରେ ପାଇଥିଲେ ୧୦ ହଜାର ୨୭୪ ଭୋଟ୍
-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଥିଲା ୧୪ ହଜାର ୩୪୪
-ଆଉ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ହଜାର ୮୭୩ ଭୋଟ୍

ଆଉ ଏସବୁ ଭିତରେ ୨୦୧୯ ଉପ-ନିର୍ବାଚନରେ ବିପୁଳ ଭୋଟ୍ ସହ ବିଜେପୁର କବଜା କରିଛି ବିଜୁ ଜନତା ଦଳ ।