ଉଛୁଳା ମହାନଦୀରେ ବିପଦପୂର୍ଣ୍ଣ ନୌକାଯାତ୍ରା । ଜୀବନକୁ ପାଣି ଛଡେଇ କାଠ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ, ନା ଅଛି ଲାଇଫ ଜାକେଟ୍ ନା ପ୍ରଶାସନିକ କଟକଣା ।

599

କନକ ବ୍ୟୁରୋ : ଫୁଲିଛି ମହାନଦୀ । ନଇଳୂଳିଆ ଅଂଚଳରେ ଆତଙ୍କ । ଏହାରି ଭିତରେ ବିପଦ ସଙ୍କୁଳ ନୌକା ଯାତ୍ରା କରୁଛନ୍ତି ଦ୍ୱୀପାଂଚଳବାସୀ । ଆଉ ତାହା ପୁଣି ବିନା ଲାଇଫ୍ ଜ୍ୟାକେଟରେ । ଗାଁରୁ ସହରକୁ ଯିବାକୁ ହେଲେ ମହାନଦୀ ପାରି ହେବାକୁ ପଡିବ । ଏଥିପାଇଁ ଭରସା ଏକମାତ୍ର କାଠ ଡଙ୍ଗା । ଯେଉଁଥିରେ ପିଲାଛୁଆଙ୍କୁ ଧରି ଉଛୁଳା ନଈ ପାରି ହେଉଛନ୍ତି ବୌଦ୍ଧ ଦ୍ୱିପାଂଚଳ ବାସୀ ।

ଉଛୁଳା ମହାନଦୀରେ ଯାତ୍ରୀ ଭରା ଡଙ୍ଗା । ବିନା ଲାଇଫ ଜାକେଟରେ ବିପଦପୂର୍ଣ୍ଣ ଯାତ୍ରା । ଏମିତି କାଠ ଡଙ୍ଗାରେ ଭର୍ତି ହୋଇ ମହାନଦୀ ପାରି ହେଉଛନ୍ତି, ବୌଦ୍ଧ ଏନଏସି ଅନ୍ତର୍ଗତ ୧୩ ଏବଂ ୧୪ ନମ୍ବର ୱାର୍ଡ ମର୍ଯାକୁଦ ଦ୍ୱୀପାଂଚଳବାସୀ । ଚାରିପଟେ ମହାନଦୀ ଘେରି ରହିଥିବା ଏହି ଟାପୁରେ ବାସ କରନ୍ତି ୪ ହଜାରରୁ ଅଧିକ ଲୋକ । ସରକାରୀ କାମ ହେଉ ବା ସ୍ୱାସ୍ଥ୍ୟ ସେବା, ସବୁ କିଛି ସୁବିଧା ସୁଯୋଗ ପାଇଁ ବୌଦ୍ଧ ସହର ଉପରେ ନିର୍ଭର କରନ୍ତି ଦ୍ୱିପାଂଚଳବାସୀ । ତେଣୁ ଗାଁରୁ ବାହାରିବାକୁ ହେଲେ ୨ କିଲୋମିଟର ମହାନଦୀରେ ନୌକା ଯାତ୍ରା କରିବାକୁ ପଡେ । ଆଉ ବର୍ଷା ହେଲେ ମହାନଦୀ ଫୁଲିଲେ କଥା ସରେ । ଭରା ନଈରେ କାଠ ଡଙ୍ଗାରେ ନଦୀ ପାରି ହୋଇ ବୌଦ୍ଧ ସହରକୁ ଯା’ଆସ କରିଥାନ୍ତି ମର୍ଯାକୁଦ ଦ୍ୱୀପାଂଚଳ ବାସୀ ।

ସରକାରୀ ନିୟମକୁ ଫୁ ! ସବୁ ଦେଖି ଆଖି ବୁଜିଛି ପ୍ରଶାସନ । ସରକାରଙ୍କ ନିୟମାନୁସାରେ ନୌକା-ଯାତ୍ରା ପାଇଁ ଲାଇଫ ଜ୍ୟାକେଟର ଅତ୍ୟନ୍ତ ଜରୁରୀ ଥିବାବେଳେ ଡଙ୍ଗାର ଅବସ୍ଥା ଯାଂଚ ସହିତ କେତେ ଜଣ ଯାତ୍ରୀ ଯାତାୟତ କରିପାରିବେ ସେଥିପାଇଁ କଡା ଗାଇଡ ଲାଇନ୍ ରହିଛି । ହେଲେ ବୌଦ୍ଧରେ କିନ୍ତୁ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି । ଉଛୁଳା ମହାନଦୀରେ ଗୋଟିଏ କାଠ ଡଙ୍ଗାରେ ଲୋକେ ଯାତାୟତ କରୁଥିବା ବେଳେ ନାଁ ଅଛି ଲାଇଫ୍ ଜ୍ୟାକେଟ୍ ନା ପ୍ରଶାସନର କୌଣସି ଅଙ୍କୁଶ ।

ଅନେକ ଡଙ୍ଗାବୁଡି ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି କରି ସାରିଛି । ଏଠାରେ ମଧ୍ୟ ପୂର୍ବରୁ ଅନେକ ସମୟରେ ଡଙ୍ଗା ବୁଡି ଧନ ଜୀବନ ନଷ୍ଟ ହୋଇସାରିଛି । ତଥାପି ଏ ଦିଗରେ କାହାରି ନଜର ପଡିନାହିଁ । ଲୋକଙ୍କ ଅଭିଯୋଗ ଶୁଣିଲେ ଲାଗୁଛି, ଏ ଯାଏଁ ବୌଦ୍ଧ ପ୍ରଶାସନ ନିଦ ଭାଙ୍ଗି ନାହିଁ ।