କନକ ବ୍ୟୁରୋ : ହରିୟାଣାର ନୁହ ହିଂସାର ଶିକାର ଜଣେ ମହିଳା ଜଜ୍ ମଧ୍ୟ ହୋଇଛନ୍ତି । ହିଂସାକାରୀ ମହିଳା ଜଜଙ୍କ ଗାଡି ଉପରେ ଆକ୍ରମଣ କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ସାଂଘାତିକ ଆକ୍ରମଣ ଭିତରେ ମହିଳା ଜଜ ଓ ତାଙ୍କର ୩ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ନୁହ ଥାନାରେ ମଙ୍ଗଳବାର ଦାୟର କରାଯାଇଥିବା ଏଫଆଇଆରରେ ଦର୍ଶାଯାଇଛି ଯେ, ଏସିଜେଏମ ଅଞ୍ଜଳି ଜୈନଙ୍କ ଗାଡି ଉପରକୁ ସୋମବାର ଉପଦ୍ରବକାରୀ ପଥର ଫିଙ୍ଗିବା ସହ ଗୁଳିମାଡ କରିଥିଲେ । ତେବେ ଏହି ଆକ୍ରମଣରୁ ନିଜ କୁନି ଝିଅଙ୍କ ସହ ଅଳ୍ପକେ ବର୍ତ୍ତି ଯାଇଥିଲେ ଅଞ୍ଜଳି । ଆକ୍ରମଣକାରୀଙ୍କ ଠାରୁ ରକ୍ଷା ପାଇବାକୁ ଅଞ୍ଜଳି ନିଜ ଝିଅଙ୍କ ସହ ପୁରୁଣା ବସ ଷ୍ଟାଣ୍ଡରେ ଥିବା ଏକ ଗ୍ୟାରେଜ ଘରେ ଶରଣ ନେଇଥିଲେ । ପରବର୍ତ୍ତୀ ସମୟରେ କିଛି ଓକିଲ ଏ ଖବର ପାଇବା ସହ ଅଞ୍ଜଳିଙ୍କୁ ବଞ୍ଚାଇଥିଲେ । ଏନେଇ ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
ଏଫଆଇଆର ଅନୁଯାୟୀ, ସୋମବାର ଅପରାହ୍ନରେ ମହିଳା ଜଜ ନିଜ କୁନି ଝିଅ ଓ ସୁରକ୍ଷାକର୍ମୀଙ୍କ ସହ ଔଷଧ କିଣିବାକୁ ଏସକେଏମ ମେଡିକାଲ କଲେଜକୁ ଯାଇଥିଲେ । ସେଠାରୁ ଔଷଧ କିଣି ଫେରୁଥିବା ବେଳେ ଉପଦ୍ରବକାରୀ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏପରକି ପଥର ମଧ୍ୟ ପିଙ୍ଗିଥିଲେ । ତେଣୁ କାର ରାସ୍ତା ଉପରେ ଛାଡି ଆମେ ସୁରକ୍ଷିତ ସ୍ଥାନକୁ ଫେରି ଆସିଥିଲୁ । କିନ୍ତୁ ପରବର୍ତ୍ତୀ ଦିନ ଉକ୍ତ ସ୍ଥାନକୁ ଯିବା ପରେ ଜାଣିଲୁ ଯେ, ଉପଦ୍ରବକାରୀ ମାନେ କାରକୁ ମଧ୍ୟ ଜାଳି ଦେଇଛନ୍ତି ।
ନୁହ ହିଂସା ଘଟଣାରେ ଏବେ ପର୍ଯ୍ୟନ୍ତ ୧୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୪ଟି ଏଫଆଇଆର ମଧ୍ୟ ରୁଜୁ ହୋଇଛି । ଏହି ହିଂସାକାଣ୍ଡରେ ୧୨୦ଟି ଗାଡି ଭଙ୍ଗାଯାଇଥିବା ବେଳେ ୫୦ରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ ଉପଦ୍ରବକାରୀ । ଯେଉଁଥିରେ ୮ଟି ପୋଲିସ ଗାଡି ମଧ୍ୟ ରହିଥିଲା । ତେବେ ଏହି ଘଟଣାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି, ଏହି ହିଂସା ପୂର୍ବ ପ୍ରାୟୋଜିତ ଥିଲା । ଏହି ହିଂସା ପଛରେ କାହାର ହାତ ଅଛି ତାହାର ଯାଞ୍ଚ ଚାଲିଛି, ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ବି ଛଡାଯିବନି ।
Follow Us