କନକ ବ୍ୟୁରୋ : ଆମେରିକାର କ୍ୟାପିଟାଲ ହିଲରେ ଆୟୋଜିତ ପ୍ରଥମ ହିନ୍ଦୁ-ଆମେରିକା ଶିଖର ସମ୍ମିଳନୀରେ ରିପବ୍ଲିକାନ ସାଂସଦ ରିଚ୍ ମ୍ୟାକକାର୍ମିକ ବଡ ବୟାନ ଦେଇଛନ୍ତି । ମ୍ୟାକକାର୍ମିକ କହିଛନ୍ତି, ଆମେରିକାର ବିକାଶରେ ହିନ୍ଦୁ ସମୁଦାୟର ବଡ ଯୋଗଦାନ ରହିଛି । ଏହି ସମୁଦାୟ ପାଖରେ ଏତେ ଶକ୍ତି ଅଛି ଯେ, ସେମାନେ ସ୍ଥିର କରିପାରିବେ ଯେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବ?

Advertisment

Americans For Hindus ଦ୍ୱାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ଅଧିକାଂଶ ହିନ୍ୁ ସମୁଦାୟର ଲୋକ ଭାଗ ନେଇଥିଲେ । ଏହି ସମ୍ମିଳନୀର ମୁଖ୍ୟ ଆୟୋଜକ ରୋମେଶ ଜାପରାଙ୍କ କହିବା ଅନୁଯାୟୀ, ଆମେରିକା ନାଗରିକ ବି ଗୀତା ପାଠ କରୁଛନ୍ତି । ସେମାନଙ୍କର ଆଭିମୁଖ୍ୟ ଏବଂ ମୂଲ୍ୟବୋଧ ଆମ ମୂଲ୍ୟବୋଧ ସହ ମେଳ ଖାଉଛି । ତେଣୁ ହିନ୍ଦୁ-ଆମେରିକୀୟଙ୍କ ସ୍ୱର ସାଜିବାକୁ ଆମେ ପ୍ରତିବଦ୍ଧ । ଏହା ପ୍ରଥମ ଶିଖର ସମ୍ମିଳନୀ ଯାହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଆୟୋଜିତ କରାଯାଉଛି । ପ୍ରତି କ୍ଷେତ୍ରରେ ଆମେ ଭଲ କାମ କରିଛୁ । କିନ୍ତୁ ଏବେ ବି ରାଜନୈତିକ କ୍ଷେତ୍ରରେ ପଛୁଆ ଅଛୁ । ତେଣୁ ସବୁ ସଙ୍ଗଠନକୁ ଏକାଠି କରିବାକୁ ଏକ ମଞ୍ଚ ପ୍ରସ୍ତୁତ କରିଛୁ ବୋଲି କହିଛନ୍ତି ଜାପରା ।

ଅନ୍ୟପଟେ ସମ୍ମିଳନୀରେ ସାମିଲ ହୋଇଥିବା ରିପବ୍ଲିକାନ ସାଂସଦ ରିଚ୍ ମ୍ୟାକକାର୍ମିକ କହିଛନ୍ତି, ହିନ୍ଦୁ ସମୁଦାୟର ପ୍ରବାସୀଙ୍କ ପାଇଁ ମୋ ମନରେ ଗଭୀର ସମ୍ମାନ ଅଛି । ଆମେରିକାର ବିକାଶରେ ହିନ୍ଦୁ ସମୁଦାୟର ବହୁତ ବଡ ଯୋଗଦାନ ରହିଛି । ମୁଁ ବାରମ୍ବାର କହୁଛି ଯଦି ଏହି ସମୁଦାୟ ଜାଗ୍ରତ ହୁଅନ୍ତି ଏବଂ ନିଜ ଶକ୍ତି ବାବଦରେ ଅବଗତ ହୁଅନ୍ତି ତେବେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ତାହା ସ୍ଥିର କରିପାରିବେ । ଆପଣ ଯେତେବେଳେ ନେତା ଭାବେ ନିଜକୁ ପ୍ରସ୍ତୁତ କରିବେ ଏବଂ ବଡ ବଡ ନେତାଙ୍କ ସହ ମିଶିବେ । ସେତେବେଳେ ଜାଣିପାରିବେ ଯେ ଆପଣ କେତେ ଶକ୍ତିଶାଳୀ । ଆପଣ କେବଳ ନିଜ ସମୁଦାୟ ନୁହେଁ ବରଂ ଆମେରିକାର ସବୁ ସମୁଦାୟର ଭବିଷ୍ୟତ ପିଢୀକୁ ଆଗକୁ ନେବାର କ୍ଷମତା ରଖିଛନ୍ତି । ଆପଣ ମାନେ ଆମେରିକା ପାଇଁ ଏକ ଭିଜନ ପ୍ରସ୍ତୁତ କରିବେ ଯାହା ଦଶକ ଦଶକ ପର୍ଯ୍ୟନ୍ତ ଆମେରିକାକୁ ସଫଳ ଦେଶ ଭାବେ ସ୍ଥାପିତ କରିବ । ଏହା କେବଳ ଆପଣଙ୍କ ଉତ୍ତର ପିଢୀ ନୁହେଁ ବରଂ ଆମେରିକାର ପ୍ରତିଟି ପିଢୀକୁ ଲାଭାନିତ୍ୱ କରିବ । ଏଥିପାଇଁ ଏହି ସମୁଦାୟକୁ ମୁଁ ଭଲପାଏ ।

ଗତ କିଛି ବର୍ଷ ହେବ ଆମେରିକାରେ ଭାରତୀୟଙ୍କ ଦବଦବା ବଢିଛି । ବିଭିନ୍ନ କ୍ଷେତ୍ରରେ ଭାରତୀୟ ମାନେ ଶୀର୍ଷ ସ୍ତରରେ ପହଞ୍ଚିଛନ୍ତି । ଆମେରିକାରେ ଏବେ ୨୦ ଲକ୍ଷ ଭାରତୀୟ ଜନ୍ମିତ ରହିଛନ୍ତି ଯେଉଁମାନେ ଆମେରିକାରେ ଭୋଟ ଦେବାର ଅଧିକାର ପାଇଛନ୍ତି । ଯେଉଁଥିପାଇଁ ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ହିନ୍ଦୁ କାର୍ଡ ଖେଳିଥିଲେ । ଏକ ନିର୍ବାଚନୀ ରାଲିରେ ଟ୍ରମ୍ପ କହିଥିଲେ, ଆମେ ହିନ୍ଦୁ ଓ ଭାରତକୁ ବହୁତ ଭଲ ପାଉଛୁ । ଉଭୟ ଭାରତ ଓ ହିନ୍ଦୁ ସମୁଦାୟର ମୁଁ ବ୍ୟକ୍ତିଗତ ଭାବେ ଜଣେ ବଡ ପ୍ରଶଂସକ । ଏପରିକି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ହିନ୍ଦୁ ସମୁଦାୟ ସହ ଭଲ ବନ୍ଧୁତା ହେବ ବୋଲି କହିଥିଲେ ଟ୍ରମ୍ପ । ଟ୍ରମ୍ପ ନିର୍ବାଚିତ ମଧ୍ୟ ହୋଇଥିଲେ । ପରେ ନିଜ ସରକାରରେ ୮୦ ଜଣ ଭାରତୀୟ ମୂଳ ନିବାସୀଙ୍କୁ ପ୍ରମୁଖ ପଦରେ ଅବସ୍ଥାପିତ କରିଥିଲେ ଟ୍ରମ୍ପ ।