କରୋନା ଭୟ: ଦେଶ ଛାଡି ବିଦେଶ ଅଭିମୁଖେ ଧନୀ ବ୍ୟକ୍ତି, କିଏ ପ୍ରାଇଭେଟ ଜେଟ୍ ବୁକ୍ କରୁଛି, କିଏ ଲକ୍ଷ ଲକ୍ଷ ଟଙ୍କା ଟିକେଟ କରି ବିଦେଶ ଯାଉଛି ।

940

କନକ ବ୍ୟୁରୋ : କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଅକ୍ସିଜେନ ଓ ବେଡର ଘୋର ଅଭାବ ଦେଖିବାକୁ ମିଳୁଛି । ଏଭଳି ସ୍ଥଳେ ଦେଶ ଛାଡି ବିଦେଶ ଅଭିମୁଖେ ଭାରତର ଧନୀ ଶ୍ରେଣୀର ବ୍ୟକ୍ତି । କିଛି ଦେଶ ଭାରତୀୟ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ କିଛି ଦେଶରେ ଏବେ ବି ଭାରତୀୟ ନାଗରିକଙ୍କୁ ପ୍ରବେଶ ଅନୁମତି ରହିଛି । ଯାହାର ସୁଯୋଗ ନେଇ ନିଜ ପରିବାର ସହ ବିଦେଶ ଚାଲିଯାଉଛନ୍ତି ଦେଶର ବଡ ବଡ ଧନୀକ ଶ୍ରେଣୀର ବ୍ୟକ୍ତି । ଏପରିକି ପ୍ରାଇଭେଟ ଜେଟ ବୁକ୍ କରି ବିଦେଶ ଚାଲିଯାଉଥିବାର ଖବର ଏବେ ସାମ୍ନାକୁ ଆସୁଛି ।

କେବଳ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ବଲିଉଡ କଳାକାର ମଧ୍ୟ ବିଦେଶ ଯିବା ପାଇଁ ବିମାନବନ୍ଦରରେ ଭିଡ ଜମାଉଥିବାର ଦେଖିବାକୁ ମିଳିଛି । ଖାସକରି ମାଳଦ୍ୱୀପକୁ ବାଛିଛନ୍ତି ବଲିଉଡର କଳାକାର । ଯେଉଁଥିପାଇଁ ମାଳଦ୍ୱୀପର କିଛି ସ୍ଥାନରେ ଭାରତୀୟଙ୍କ ବୁଲିବା ଉପରେ କଟକଣା ଲଗାଯାଇଛି । କିଛି ହୋଟେଲ ଓ ନିର୍ଦ୍ଦିଷ୍ଟ କିଛି ସ୍ଥାନକୁ ଛାଡିଦେଲେ ସବୁଆଡେ ଏହି କଟକଣା ଜାରି କରାଯାଇଛି । ଏହାସତ୍ତେ୍ୱ ମଧ୍ୟ ମାଳଦ୍ୱୀପ ଯିବାକୁ ବଲିଉଡ ଷ୍ଟାରଙ୍କ ମଧ୍ୟରେ ଯେପରି ପ୍ରତିଯୋଗିତା ଲାଗିଛି ।

କିଛି ବ୍ୟକ୍ତି ଦୁବାଇ ଯାତ୍ରା କରିବାକୁ ପ୍ରାଇଭେଟ ପ୍ଲେନର ବ୍ୟବହାର କରୁଥିବାର ସୂଚନା ମିଳିଛି । ଏପରିକି ଭାରତୀୟ ନାଗରିକଙ୍କ ଉପରେ ଦୁବାଇ କଟକଣା ଲଗାଇବା ପୂର୍ବରୁ ଅଧିକାଂଶ ଧନିକ ଶ୍ରେଣୀର ବ୍ୟକ୍ତି ଦୁବାଇ ଚାଲିଯାଇଛନ୍ତି । ଏପରିକି ଗୋଟିଏ ଟିକେଟ ପାଇଁ ୧୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପଛାଇନାହାନ୍ତି । ସେହିଭଳି ପ୍ରାଇଭେଟ ଜେଟ୍ ଗୁଡିକୁ ବୁକ୍ କଲେ ରିଟର୍ଣ୍ଣ ଦର ମଧ୍ୟ ଦେବାକୁ ପଡୁଛି । ଏହାସତ୍ତେ୍ୱ ମଧ୍ୟ ଦେଶ ଛାଡିବାକୁ ପଛାଇ ନାହାନ୍ତି ଧନୀକ ଶ୍ରେଣୀର ବ୍ୟକ୍ତି ।