ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ, ଭାସିଲା କାର, ଫସିଲା ଟ୍ରେନ ! ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ବାତିଲ ହେଲା ସରକାର କର୍ମଚାରୀଙ୍କ ରବିବାର ଛୁଟି ।

24

କନକ ବ୍ୟୁରୋ : ସାରା ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ବର୍ଷା ଲାଗି ରହିବ । ବିଶେଷ କରି ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ଗତକାଲିଠାରୁ ଲାଗିରହିଥିବା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ତେବେ ରାଜ୍ୟର କିଛି ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କା ନଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ତଥାପି ବନ୍ୟାସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି ସରକାର । ଆସନ୍ତାକାଲି ରବିବାର ଛୁଟିଥିବା ବେଳେ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଡିପ୍ରେସନର ରୂପ ନେଇଛି ୱେଲମାର୍କ ଲୋ ପ୍ରେସର । ବାଲେଶ୍ୱରର ଦକ୍ଷିଣ-ପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ରାତି ସୁଦ୍ଧା ବାଲେଶ୍ୱର ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଦୁଇ ଦିନ ଯାଏଁ ବର୍ଷା ହେବ । ବିଶେଷ କରି ରବିବାର ପ୍ରବଳ ବର୍ଷିବ । ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିସହ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବି ବୋହିବ ।

ଗତ ୨୪ ଘଂଟାରେ ସାରା ରାଜ୍ୟରେ ବର୍ଷିଛି ପ୍ରବଳ ବର୍ଷା । ମାଲକାନଗିରି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା ଓ କଟକରେ ପ୍ରବଳ ବର୍ଷା ହୋଇଛି । ରାଜ୍ୟର ୧୬ଟି ବ୍ଲକରେ ୨୦୦ମିଲିମିଟର ଓ ୩୫ଟି ବ୍ଲକରେ ୧୦୦ରୁ ୨୦୦ମିଲିମିଟର ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୩୨୨ ମିଲିମିଟର ବର୍ଷା ହୋଇଛି । ତେବେ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଓ ବନ୍ୟାର ଆଶଙ୍କା ନଥିବା ଏସଆରସି ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ବିଭିନ୍ନ ବିଭାଗ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ୩୧୭ଟି ୟୁନିଟକୁ ସଜାଗ ରଖାଯାଇଛି । ଏଥିସହ ଓଡ୍ରାଫର ୨୦ଟି ୟୁନିଟ୍ ଓ ପୁଲିସ ସଜାଗ ଅଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ବନ୍ୟା ସ୍ଥଳରେ ଲୋକଙ୍କ ପାଖରେ ପହଁଚି ଏହି ଟିମ୍ ଚିକିତ୍ସା ଯୋଗାଇଦେବ । ଏଥିସହ ବିଭିନ୍ନ ସ୍ଥାନରେ ହେଲଥ କ୍ୟାମ୍ପ ଓ କଂଟ୍ରୋଲ ରୁମ୍ କରାଯାଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ସରକାର । ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ଜଳ ନିଷ୍କାସନ ପାଇଁ ପାଣି ପମ୍ପ ବି ପ୍ରସ୍ତୁତ ରଖାଯାଇଛି ।