ବିଭିନ୍ନ ରାଜ୍ୟରେ ସୋନିଆ ସମର୍ଥକଙ୍କ ହଙ୍ଗାମା। ଇଡିର ଜେରାକୁ ବିରୋଧ, ଜଳପୋଡା ସହ ପ୍ରତିବାଦ।

64

କନକ ବ୍ୟୁରୋ: ଦିଲ୍ଲୀରୁ ଆରମ୍ଭ କରି ମହାରାଷ୍ଟ୍ର । ରାଜସ୍ଥାନଠୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଗୁରୁବାର ପ୍ରବଳ ହଟ୍ଟଗୋଳ କରିଛି କଂଗ୍ରେସ । କେଉଁଠି ରାସ୍ତାଉପରେ ପୋଡାଜଳା ତ ପୁଣି କେଉଁଠି ଟ୍ରେନକୁ ରୋକି ସମର୍ଥକ ଓ କର୍ମୀମାନେ ବଡଧରଣର ବିକ୍ଷୋଭ କରିଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଗୁରୁବାର କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ଜେରାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି ଦଳ । କେବଳ କର୍ମୀ କିମ୍ବା ସମର୍ଥକ ନୁହଁନ୍ତି ଦଳର ଅନେକ ବରିଷ୍ଠ ନେତା ପ୍ରଦର୍ଶନରେ ସାମିଲ ହୋଇ ଇଡିର ଜେରାକୁ ବିରୋଧ କରିଛନ୍ତି । କିଛି ନେତାଙ୍କୁ ହାଜତକୁ ନେଇ ପରେ ଛାଡିଦେଇଛି ପୁଲିସ ।

ଇଡିର ଜେରାକୁ ବିରୋଧ କରି ପୂର୍ବ ଘୋଷଣା ଅନୁସାରେ ଗୁରୁବାର ସକାଳୁ ସକାଳୁ ସଂସଦ ଭବନ ପରିସରରେ ପହଁଞ୍ଚଥିଲେ କଂଗ୍ରେସ ବରିଷ୍ଠ ନେତା । ହାତରେ ପ୍ଲାଡକାର୍ଡ ଧରି ବିରୋଧ କରି ସଂସଦ ଭବନରୁ ପଦଯାତ୍ରା କରିଥିଲେ । କଂଗ୍ରେସ କହିଛି ବିଜେପି ସରକାର ଯେତେ ଚେଷ୍ଟା କରିଲେ ମଧ୍ୟ ଭୟଭୀତ କରି ଦଳର ସ୍ୱର ଚପାଇ ପାରିବନାହିଁ ।

ବିଭିନ୍ନ ରାଜ୍ୟରେ ଥିବା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଏକାଠି ମିଶି ଧାରଣା ଦେଇଛନ୍ତି । ବିଜେପି ସରକାରଙ୍କ ଇସାରାରେ ସମସ୍ତ ସରକାରୀ ତଦନ୍ତକାରୀ ସଂସ୍ଥା ବିରୋଧୀଦଳମାନଙ୍କୁ ଟାର୍ଗେଟ କରୁଥିବା କଂଗ୍ରେସ କହିଛି । ଦେଶରେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି । ଦରଦାମ ବୃଦ୍ଧି, ମୁଦ୍ରାସ୍ପୀତି ବୃଦ୍ଧି. ଜିଏସଟି ଲାଗୁ ଏଭଳି ଅନେକ ଚିନ୍ତା କରିବା ଭଳି ପ୍ରସଙ୍ଗକୁ ଧ୍ୟାନ ହଟାଇବା ପାଇଁ ବିଜେପି ବିରୋଧୀଙ୍କ ଉପରେ ତଦନ୍ତର ଚାବୁକ ମାଡକରୁଥିବା କଂଗ୍ରେସ ଅଭିଯୋଗ କରୁଛି ।

ନ୍ୟାସନାଲ ହେରାଲ୍ଡ ମାମଲାରେ ପୂର୍ବରୁ ସୋନିଆଙ୍କୁ ଦୁଇ ଦୁଇଥର ଇଡି ସମନ ପଠାଇସାରିଥିବାବେଳେ ସୋନିଆ ନିଜର ଅସୁସ୍ଥତା ଦର୍ଶାଇ ଜେରା ପାଇଁ ହାଜର ହୋଇନଥିଲେ । ତେବେ ୩ୟ ଥର ସମନ ପାଇବା ପରେ ଗୁରୁବାର ଜେରା ପାଇଁ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ ସୋନିଆ ଗାନ୍ଧୀ । ମାମଲାରେ ପୂର୍ବରୁ ୫ଥର କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।