ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ୧୧୮୪ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ

142

କନକ ବ୍ୟୁରୋ : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ବିଭିନ୍ନ କାରଣ ପାଇଁ ଏଥର ୧୧ଶହ ୮୪ ଜଣଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । ବିଜ୍ଞାନ ବିଭାଗ ରେଗୁଲାରରେ ୯୦, ଏକ୍ସରେଗୁଲାରରେ ୭୧୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି । ସେହିପରି ବାଣିଜ୍ୟ ବିଭାଗ ରେଗୁଲାରରେ ୮୯ ଓ ଏକ୍ସ ରେଗୁଲାରରେ ୨୯୫ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ ।
ଏହି ୧୧ଶହ ୮୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩୯ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କୌଣସି ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନାହିଁ । ଅର୍ଥାତ ସେମାନେ ପୂର୍ବରୁ ପରିଷଦର କୌଣସି ବି ବାର୍ଷିକ ପରୀକ୍ଷା ଦେଇନାହାନ୍ତି । ଯେଉଁଥି ପାଇଁ ସେମାନଙ୍କ ଫଳ ସ୍ଥଗିତ ରହିଛି । ଆଗକୁ ହେବାକୁ ଥିବା ଅଫଲାଇନ ପରୀକ୍ଷାରେ ଏହି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପରୀକ୍ଷା ଫଳ ସ୍ଥଗିତ ରହିଥିବା ଛାତ୍ରଛାତ୍ରୀ ମଧ୍ୟରୁ କେତେଜଣଙ୍କ ପ୍ରାକ୍ଟିକାଲ ମାର୍କ ଆଜି ପର୍ଯ୍ୟନ୍ତ ପରିଷଦ ଦାଖଲ ହୋଇ ନାହିଁ । କଲେଜଗୁଡ଼ିକ ତଥ୍ୟ ଦେଇ ନଥିବାରୁ ଏଭଳି ସମସ୍ୟା ହୋଇଚି । ଯଦି କୌଣସି ପରୀକ୍ଷାର୍ଥୀଙ୍କ ରେଜଲ୍ଟରେ ତ୍ରୁଟି ଥିବ, ତେବେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଉପଯୁକ୍ତ ପ୍ରମାଣ ସହ ନିଜର ଅଭିଯୋଗ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିପାରିବେ । ଏନେଇ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।