କନକ ବ୍ୟୁରୋ: ଘରୋଇ କମ୍ପାନୀ ପାଇଁ ପ୍ରଶାସନର ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତୀବ୍ର ବିରୋଧ। ଦୁଇଟି ପଞ୍ଚାୟତ ବାସିନ୍ଦାଙ୍କ ବିରୋଧ । ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ । ରାଉରକେଲା-ରାଞ୍ଚି ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଗାଡିମୋଟର । ଘରୋଇ କମ୍ପାନୀ ମହାବୀର ଫେରୋ ଆଲଏଜ କର୍ତ୍ତୃପକ୍ଷଙ୍କୁ ଇଡ଼କୋ ମାଧ୍ୟମରେ କୁଆଁରମୁଣ୍ଡା ଡାଏରୀ ଫାର୍ମର ୨୦ ଏକର ୯୦ ଡେସିମିଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ପଦ୍ମପୁର ଓ ଜମୁନାନାକୀ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମର ବାସିନ୍ଦା ଏହାକୁ ବିରୋଧ କରୁଥିବା ବେଳେ କୁଆଁରମୁଣ୍ଡା ନାଗରିକ କମିଟି ଆନ୍ଦୋଳନର ନେତୃତ୍ୱ ନେଇଛି। ଗୋଟିଏ ପଟେ ୪ ପ୍ଲାଟୁନ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହାବୀର ଫେରୋ ଆଲଏଜ ପାଇଁ ଜମି ଅଧିଗ୍ରହଣ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରତିବାଦରେ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଦୋକାନ ବଜାର ବନ୍ଦ ରହିବା ସହ ରାଞ୍ଚି - ରାଉରକେଲା ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ସଂଖ୍ୟାରେ ଗାଡିମୋଟର ଓ ଭାରିଯାନ।