କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି : ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ଖୋଜୁଛି ଦୁର୍ଘଟଣାର କାରଣ

142

କନକ ବ୍ୟୁରୋ : ଯାଜପୁର କୋରେଇରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଭଦ୍ରକ-କପିଳାଶ ରୋଡ଼ କୋରେଇ ଷ୍ଟେସନରେ ମାଲବାହୀ ଗାଡ଼ିର ୮ଟି ବଗି ଲାଇନଚ୍ୟୁତ ହୋଇଛି । ସକାଳ ୬ଟା ୪୪ ମିନିଟ ସମୟରେ ଘଟଥିଲା ଦୁର୍ଘଟଣା । ୫୪ଟି ବଗିରୁ ୮ଟି ବଗି ଲାଇନ ଚ୍ୟୁତ ହୋଇ ଫ୍ଲାଟଫର୍ମ ଉପରକୁ ମାଡ଼ିଯାଇଥିଲା ଟ୍ରେନ । ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବିଡିଓ ସୂଚନା ଦେଇଛନ୍ତି । ୭ଜଣ ଆହତଙ୍କୁ କୋରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

୪ ମୃତକଙ୍କ ମଧ୍ୟରୁ ୩ଜଣଙ୍କ ପରିଚୟ ମିଳିଛି । ଷ୍ଟେସନ ଫୁଟ ଓଭର ବ୍ରିଜ, ଟିକେଟ କାଉଣ୍ଟର ଉପରେ ଚଢ଼ିଯାଇଛି ମାଲବାହୀ ଟ୍ରେନ । ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ଲୋକଙ୍କ ମୃତ୍ୟୁ ହୋଇଛି । ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋରେଇରେ ପହଞ୍ଚିଛନ୍ତି ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ।