ଉତ୍ତରାଖଣ୍ଡରେ ଏବେ ବି ଚାଲିଛି ଉଦ୍ଧାର କାମ । ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା । ୨୦ ମୃତଦେହ ଉଦ୍ଧାର

96

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ଦ୍ୱିତୀୟ ଦିନରେ ତପୋବନ ଟନେଲରେ ଆଗେଇ ଚାଲିଛି ଉଦ୍ଧାର କାମ । ନିର୍ମାଣାଧୀନ ଦ୍ୱିତୀୟ ଟନେଲ ଭିତରେ ଉଦ୍ଧାର କାମକୁ ତ୍ୱରାନ୍ୱିତ କରିଛନ୍ତି ଆଇଟିବିପି ଜବାନ । ନିଜେ ଆଇଟିବିପି ଡିଜି ପହଁଚି ଉଦ୍ଧାରକାମ ତଦାରଖ କରିଛନ୍ତି । ୨.୫ କିଲୋମିଟରର ଏହି ଟନେଲକୁ ଦେଖନ୍ତୁ । କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ କିଛି ଲୋକ ଏବେ ବି ଫଶି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟା ଜାରି ରହିଛି ।

ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଧ୍ୟ ତପୋବନ ଟନେଲର ଉଦ୍ଧାର କାମ ଚାଲିଥିବା ଅଂଚଳରେ ପହଁଚି ନିଜେ ଏହାର ସମୀକ୍ଷା କରିଛନ୍ତି । ଉଦ୍ଧାର କାମରେ ଜେସିବି ଲଗାଯାଇଛି । ମାଟି ତଳେ ଫସିଥିବା ଶ୍ରମିକଙ୍କୁ ଠାବ କରିବାକୁ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଛି । ଏଥିପାଇଁ ଦିଲ୍ଲୀରୁ ସ୍ୱତନ୍ତ୍ର ଭାବେ ଡଗ୍ ସ୍କୁଆଡ୍ ଆସି ପହଁଚିଛି । ଫସିଥିବା ଲୋକଙ୍କୁ ବଂଚାଇବାକୁ ହେଲେ ୨୪ ଘଂଟା ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରବିବାର ସକାଳୁ ହିମସ୍ଖଳନ ପରେ ଏହି ଟନେଲ ଗୁଡିକରେ ଭର୍ତି ହୋଇଯାଇଥିଲା ମାଟି ଓ ପାଣି । ଯାହା ଭିତରେ ଫସିଥିଲେ ଶ୍ରମିକ । ଦ୍ୱିତୀୟ ଟନେଲରେ ପ୍ରାୟ ୩୬ ଜଣ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ଶ୍ରମିକଙ୍କ ମଷ୍ଟର ରୋଲ୍ ଅନୁସାରେ ଏହି ଆକଳନ କରାଯାଉଛି ।

ଆଇଟିବିପି ଜବାନ , ଏସଡିଆରଏଫ୍ ଟିମ୍ ମଧ୍ୟ ଉଦ୍ଧାରକାମରେ ଲାଗିଛି । ରବିବାରର ଏହି ଲୋମଟାଙ୍କୁରା ପ୍ରାକୃତିକ ବିପର୍ଯ୍ୟୟ ପରେ ପ୍ରାୟ ଦେଢ ଶହ ଲୋକଙ୍କ ପତାମିଳୁନି । ପ୍ରଥମ ଟନେଲ ଭିତରେ ଫସିଥିବା ୧୬ ଜଣ ଶ୍ରମିକଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି ଆଇଟିବିପି ଜବାନ । ମୃତ୍ୟୁର ଟନେଲ ଭିତରୁ ସୁରକ୍ଷିତ ବାହାରି ଆସିବା ପରେ କିଛି ଏହିଭଳି ଖୁସିରେ ଆତ୍ମହରା ହୋଇପଡିଛନ୍ତି ଶ୍ରମିକ । ତେବେ ଆଉ ଏକ ଟନେଲ ଭିତରେ କିଛି ଶ୍ରମିକ ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ଉଦ୍ୟମ ।

ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱ ବହନ କରୁଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି, ୩ଏମଆଇ-୧୭, ଚିନୁକ, ୧ଏଏଲଏଚ । ଉତରାଖଣ୍ଡରେ ଆସିଥିବା ଏହି ପ୍ରଳୟ ଗୋଟିଏ କଥା କହୁଛି, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ, କାହାକୁ କହି ଆସେନି ଆଉ ଥରେ ଆସିଲେ ଏମିତି ଚିହ୍ନ ଛାଡେ ଯାହାକୁ ଭୁଲିହୁଏନି ।