ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ସୁରକ୍ଷା ଯାଂଚ୍ କଲେ ଭୁବନେଶ୍ୱର ଡିସିପି; ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ

136

କନକ ବ୍ୟୁରୋ : ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଗତକାଲି ଫୁଲ ଡ଼୍ରେସ ରିହସର୍ଲ ଶେଷ ହୋଇଛି । ଆଜି ଗାନ୍ଧୀମାର୍ଗର ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ତା ସହିତ କାଉଂଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟେକନିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବିନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରି ଦିଆଯିବ ।