ଆଇଆଇଟି ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳିତ । ସମ୍ବିଧାନର ଗୁରୁତ୍ୱ ବୁଝାଇଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।

58

କନକ ବ୍ୟୁରୋ : ଆଇଆଇଟି ଭୁବନେଶ୍ୱରରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆର.ଭି. ରାଜା କୁମାର ଶିକ୍ଷାନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ କରିବା ପରେ ପରେଡ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ, ଗଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ନିଜ ଅଭିଭାଷଣରେ ପ୍ରଫେସର ରାଜା କୁମାର ସାଧାରଣ ଲୋକଟିଏ ପାଇଁ ସମ୍ବିଧାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଥିଲେ । ଦେଶବାସୀଙ୍କୁ ଭ୍ରାତୃତ୍ୱଭାବରେ ଯୋଡି ରଖିବାର ସବୁଠୁ ବଡ ମାଧ୍ୟମ ହେଉଛି ସମ୍ବିଧାନ । ଦେଶର ପ୍ରତି ନାଗରିକ ନ୍ୟାୟ ଓ ସମାନତା ପାଇବେ ସେ ବିଶ୍ୱାସ ଆମକୁ ସମ୍ବିଧାନ ଦେଇଥାଏ ।

ଏହାଛଡା କରୋନା ମହାମାରୀ କବଳରୁ କିଭଳି ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ ରଖାଯାଇଥିଲା ସେ ବାବଦରେ ମଧ୍ୟ ନିଜ ଅଭିଭାଷଣରେ ସାମ୍ନାକୁ ଆଣିଥିଲେ ପ୍ରଫେସର ରାଜା କୁମାର । ମହାମାରୀ ଭଳି ସଙ୍କଟ ସମୟରେ ମଧ୍ୟ କ୍ୟାମ୍ପସର ଜରୁରୀକାଳୀନ ବିଭାଗ ଖୋଲା ରହିଥିଲା । ଆଉ ଏଥିପାଇଁ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗର ହାତ ବଢାଇଥିଲେ । ଏହି ସମୟରେ କ୍ୟାମ୍ପସରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଅନଲାଇନ ପାଠପଢା ପାଇଁ ନୂଆ ଟେକ୍ନୋଲୋଜିକୁ ବିକଶିତ କରିବା, ନୂଆ ନୂଆ ଦିଗ ଉପରେ ଫୋକସ କରିବା ଭଳି କାର୍ଯ୍ୟ କରାଯାଇଛି । ଏପରିକି ମହାମାରୀ ଭଳି ସଙ୍କଟ ସମୟରେ ପୂର୍ବଭଳି ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅନ୍ୟ ମାନଙ୍କ ପାଇଁ ରୋଲମଡେଲ ସାଜିଛନ୍ତି ।

ମହାମାରୀ ଭିତରେ କରୋନା ଟିକା ଆଣି ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ପୂରା ଦେଶକୁ ଗର୍ବିତ କରିଛନ୍ତି । କରୋନା ଭ୍ୟାକସିନ ଆସିବା ଫଳରେ ଖୁବଶୀଘ୍ର ଦେଶରେ ପୂର୍ବ ଅବସ୍ଥା ଫେରି ଆସିବ ବୋଲି କହିଛନ୍ତି ପ୍ରଫେସର ରାଜା କୁମାର ।