ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କଲେ ଅଞ୍ଚଳବାସୀ ।

104

କନକ ବ୍ୟୁରୋ : ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଗଣତନ୍ତ୍ର ଭାରତର ୭୨ ବର୍ଷ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡାଇଲେ ସ୍ୱାଭିମାନ ଅଂଚଳବାସୀ । ଚିତ୍ରକୋଣ୍ଡା ବ୍ଲକର ତିନୋଟି ପଞ୍ଚାୟତର ଲୋକେ ଯୋଡାମ୍ବ ଓ ଗୋରାସେତୁ କ୍ୟାମ୍ପରେ ଯବାନଙ୍କ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଦେଶର ସମ୍ବିଧାନକୁ ସମ୍ମାନ ଜଣାଇ ମାଓ ସଙ୍ଗଠନ ଛାଡି ଅଞ୍ଚଳର ବିକାଶ ପଥରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି ।

ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ମାଓବାଦର ପରାଧୀନ ଶାସନରୁ ମୁକୁଳି ଗଣତନ୍ତ୍ର ଦିବସ ପାଳିଲେ ସ୍ୱାଭିମାନ ଅଞ୍ଚଳବାସୀ । ଜୋଡାମ୍ବ ଓ ଗୋରାସେତୁ ଠାରେ ନିର୍ମିତ ନୂତନ ବିଏସଏଫ କ୍ୟାମ୍ପ ଠାରେ ତ୍ରିରଙ୍ଗା ଉଡାଇଲେ ଜୋଡାମ୍ବ, ପଣସପୁଟ ଓ ଅଣ୍ଡ୍ରାପାଲି ପଂଚାୟତର ଲୋକେ ।

ଯେଉଁମାନେ ଦିନେ ମାଓବାଦୀଙ୍କ ସମର୍ଥକ ଭାବେ ମାଓ ସମାବେଶର ନେତୃତ୍ୱ ନେଉଥିଲେ, ସେମାନେ ଜାତୀୟ ପତାକା ତଳେ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି । ଯେଉଁ ମାଓ ସ୍ମୃତି ସ୍ତମ୍ଭ ଓ ସ୍ମୃତି ଭବନରେ ନାଲି-କଳା ପତାକା ଉଡୁଥିଲା ସେଠି ଏବେ ଚିତ୍ର ବଦଳିଛି । ସୁରକ୍ଷାକର୍ମୀଙ୍କ କ୍ୟାମ୍ପ, ଥାନା, ବିଦ୍ୟାଳୟ ଓ ସରକାରୀ ଅନୁଷ୍ଠାନରେ ନିର୍ଭୟରେ ତ୍ରିରଙ୍ଗା ଉଡାଇଛନ୍ତି ଯବାନ ଓ ସ୍ଥାନୀୟ ବାସିନ୍ଦା ।

ଗତ କିଛି ମାସର ବ୍ୟବଧାନରେ ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ଓ ମାଓପ୍ରବଣ ଗୋରାସେତୁ ସମେତ ହନ୍ତାଳଗୁଡା, ଜନ୍ତାପାଇ, ବଡପଡା, ଜାନବାଇ, ଗାରଡେନପଦରରେ ବିଏସଏଫ କ୍ୟାମ୍ପ ସ୍ଥାପନ କରିଛନ୍ତି ସୁରକ୍ଷାବାହିନୀ । ସ୍ୱାଭିମାନ ଅଂଚଳର ପ୍ରାୟ ୯୦ ଭାଗ ଅଂଶକୁ ସୁରକ୍ଷା ବଳୟକୁ ନେଇ ମାଓବାଦୀଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ପୁଲିସ । ଗଣତନ୍ତ୍ର ଦିବସରେ ଦେଶର ସମ୍ବିଧାନକୁ ସମ୍ମାନ ଜଣାଇ ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି ରିଶିକେଷ କିଲ୍ଲାରୀ ।

ବନ୍ଧୁକ ମୁନରେ ପାଳିତ ହେଲା ଗଣତନ୍ତ୍ର ଦିବସ । ମାଓବାଦୀଙ୍କ ଅଭେଦ୍ୟ ଗଡରେ ପ୍ରଥମ ଥର କରି ତ୍ରିରଙ୍ଗା ତଳେ ଏକାଠି ହୋଇ ଜାତୀୟ ସଙ୍ଗୀତ ଗାନ କଲେ ସ୍ୱାଭିମାନ ଅଂଚଳବାସୀ । ଆଉ ଆଗକୁ ପୂରା ସ୍ୱାଭିମାନ ଅଂଚଳକୁ ମାଓମୁକ୍ତ କରି ଜାତୀୟ ପତାକା ଉଡାଇବାକୁ ଲକ୍ଷ ରଖିଛି ପୁଲିସ ।