ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ପତାକା ଉତ୍ତୋଳନ ପରେ ରାଜପଥରେ ଆରମ୍ଭ ହେଲା ଭବ୍ୟ ପରେଡ ।

135

କନକ ବ୍ୟୁରୋ : ସାରାଦେଶ ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଏହି କ୍ରମରେ ଦିଲ୍ଲୀର ରାଜପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଜମ୍ମୁ-କାଶ୍ମୀରର ପୋଲିସର ସହିଦ ଏଏସଆଇ ବାବୁରାମଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନ ଦିଆଯାଇଛି । ସହିଦ ବାବୁରାମଙ୍କ ପତ୍ନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନ ଗ୍ରହଣ ପରେ ଆରମ୍ଭ ହୋଇଛି ଭବ୍ୟ ପରେଡ ।

ସାଧାରଣତନ୍ତ୍ରର ଦିବସରେ ଆୟୋଜିତ ଏହି ଭବ୍ୟ ପରେଡକୁ ପୂରା ବିଶ୍ୱ ଦେଖୁଛି । ଆଉ ଏହି ପରେଡ ମାଧ୍ୟମରେ ପୂରା ଦୁନିଆ ଦେଖୁଛି ଭାରତର ଶୌର୍ଯ୍ୟ ଓ ସାର୍ମଥ୍ୟ । ଏହାସହ ପରେଡରେ ବିଭିନ୍ନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିବାରୁ ପୂରା ବିଶ୍ୱ ଭାରତୀୟ ସଂସ୍କୃତିର ଝଲକ ମଧ୍ୟ ଦେଖୁଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ କଟକଣା ଭିତରେ ପାଳନ ହେଉଛି । ପାରମ୍ପରିକ ଭାବେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ, କିନ୍ତୁ ଏଥର କୁହୁଡି ଯୋଗୁଁ ସମାରୋହ ସାଢେ ୧୦ଟାରୁ ଆରମ୍ଭ ହୋଇଛି । କରୋନା ମହାମାରୀକୁ ଆଖିରେ ରଖି ପରେଡ ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ୫ ହଜାରୁ ୮ ହଜାର ଲୋକଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଛି । ଏଥିପାଇଁ ସକାଳ ୭ଟାରୁ ଦର୍ଶକଙ୍କ ପାଇଁ ଖୋଲି ଦିଆଯାଇଛି ସିଟିଂ ବ୍ଲକ । ଫଳରେ ପ୍ରବେଶ ସମୟରେ ଭିଡକୁ ନିୟନ୍ତ୍ରଣ କରାଯାଇ ପାରିବ । କରୋନାର ଦୁଇଟି ଡୋଜ୍ ଟିକା ନେଇଥିରେ ହିଁ ପରେଡସ୍ଥଳରେ ରହି ସମାରୋହ ଦେଖିବାକୁ ସୁଯୋଗ ଦିଆଯିବ । ଏଥିପାଇଁ ସେମାନଙ୍କୁ ଭ୍ୟାକ୍ସିନ ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ କୁହାଯାଇଛି । ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ପରେଡ ଦେଖିବାର ଅନୁମତି ଦିଆଯାଇ ନାହିଁ । ଦିଲ୍ଲୀରେ ଜାତୀୟସ୍ତରୀୟ ପରେଡ ଉତ୍ସବର ସିଧା ପ୍ରସାରଣ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ କରାଯାଉଛି । ସେହିପରି ଅନଲାଇନରେ ସାଧାରଣତନ୍ତ୍ର ଦିବସ ସମାରୋହର ସିଧା ପ୍ରସାରଣ ଦେଖିବାକୁ ମାଇ ଗଭ ପୋର୍ଟାଲରେ ପଞ୍ଜିକରଣ କରିବାକୁ କୁହାଯାଇଛି ।

ଦିଲ୍ଲୀରେ ଜାତୀୟସ୍ତରୀୟ ପରେଡ ଉତ୍ସବ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୨୭ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ୭୧ ଡିସିପି, ୨୧୩ ଏସିପି ଓ ୭୫୩ ଇନସ୍ପେକ୍ଟରଙ୍କୁ ମୁତୟନ କରାଯାଇଛି । ଏମାନଙ୍କୁ ସହାୟତା କରୁଛନ୍ତି ସିଆରପିଏଫର ୬୫ କମ୍ପାନି ଫୋର୍ସ । ଇଣ୍ଡିଆ ଗେଟ୍, ଅମର ଯବାନ ଜ୍ୟୋତି, ରାଜପଥ, ବିଜୟ ଚୌକ ସମେତ ଆଖପାଖ ଅଂଚଳରେ ଟ୍ରାଫିକ କଟକଣା ଲଗା ଯାଇଛି । ସାରା ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପରେଡ ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ପାର୍କିଂରେ ଗାଡି ରଖିବା ପରେ ସୁରକ୍ଷା ଦୃଷ୍ଟିରୁ ରିମୋଟ କଂଟ୍ରୋଲ ଚାବି ମଧ୍ୟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ପ୍ରମୁଖ ଛକ ମାନଙ୍କରେ ଲଗାଯାଇଛି ସିସିଟିଭି କ୍ୟାମେରା । ଡ୍ରୋନକୁ ନଷ୍ଟ କଲା ଭଳି ମାରଣାସ୍ତ୍ର ମଧ୍ୟ ମୁତୟନ କରାଯାଇଛି । ଗତବର୍ଷ ଭଳି କୌଣସି ଅଘଟଣ ଏଡାଇବାକୁ ଦିଲ୍ଲୀକୁ ସଂଯୋଗ କରୁଥିବା ଟିକରି, ସିଂଘୁ ଓ ଗାଜିପୁର ସୀମାକୁ ସିଲ କରି ଦିଆଯାଇଛି ।