ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ! କହିଲେ ଏହା ଶାସ୍ତ୍ରୀୟ ମର୍ଯ୍ୟାଦାର ଉଲଂଘନ, ବିବାଦୀୟ ପ୍ରସଙ୍ଗକୁ ନେଇ ନେତାଙ୍କ ଭିତରେ ଦ୍ୱନ୍ଦ୍ୱ ।

40

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରି ପାରିିବେ କି ନାହିଁ, ବଂଶାନୁକ୍ରମିକ ସେବାୟତ ପରମ୍ପରା ବନ୍ଦ ହେବ କି ନାହିଁ, ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ପରେ ସୃଷ୍ଟି ହୋଇଛି ବଡ଼ ଧରଣର ବିତର୍କ । ଏଥିସହ ସୃଷ୍ଟି ହୋଇଛି ଧର୍ମ ଓ ଆଇନ୍ ମଧ୍ୟରେ ଦ୍ୱନ୍ଦ୍ୱ । ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଓ ପୁରୀ ଗଜପତି କହିଛନ୍ତି, ପରମ୍ପରାକୁ ବଦଳାଇବା ଗ୍ରହଣୀୟ ନୁହେଁ । ଆଜି ପୁରୀ ଗୋବର୍ଦ୍ଧନ ପୀଠ, ପ୍ରେସମିଟ୍ କରି ଶଙ୍କରାଚାର୍ଯ୍ୟଙ୍କ ମତକୁ ଦୋହରାଇଛି । ସେପଟେ ଏହାକୁ ନେଇ ରାଜନୈତିକ ମହଲରେ ଆସିଛି ଭିନ୍ନ ଭିନ୍ନ ମତ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତି ପାଳନ କରିବା କଷ୍ଟକର । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସୁପ୍ରିମକୋର୍ଟଙ୍କ କପି ମିଳିବା ପରେ ପ୍ରସ୍ତାବ ଉପରେ ବିଚାର ବିମର୍ଶ କରାଯିବ ।

ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ନେଇ ବିଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଆହ୍ୱାନ ପରେ ଆରମ୍ଭ ହୋଇଛି ବଡ଼ ଧରଣର ବିତର୍କ । ଏହି ପରିପ୍ରେକ୍ଷୀରେ ସାମ୍ନାକୁ ଆସିଛି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତ । ଶଙ୍କରାଚାର୍ଯ୍ୟଙ୍କ ମତ ହେଉଛି ଶ୍ରୀମନ୍ଦିରରେ ପ୍ରବେଶ ସମ୍ପର୍କରେ ସନାତନ ଶାସ୍ତ୍ରୀୟ ମର୍ଯ୍ୟାଦା ଉଲ୍ଲଙ୍ଘନ ସ୍ୱୀକାରଯୋଗ୍ୟ ନୁହେଁ । ଏ ନେଇ ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ପ୍ରେସ ମିଟ୍ କରି ଶଙ୍କରାଚାର୍ଯ୍ୟଙ୍କ ମତକୁ ପୁଣି ଥରେ ଦୋହରାଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶଙ୍କରାଚାର୍ଯ୍ୟଙ୍କ ଭଳି ଅଣହିନ୍ଦୁ ପ୍ରବେଶ ନେଇ ଗଜପତି ମହାରାଜା ଦିବସିଂହ ଦେବ ମଧ୍ୟ ବିଭିନ୍ନ ସମୟରେ ମତ ରଖି ଆସିଛନ୍ତି ।

ଗଜପତି  ମହାରାଜଙ୍କ ମତ ହେଉଛି ଶ୍ରୀମନ୍ଦିରର ଦୁଇଟି ମୁଖ୍ୟ ପର୍ବ ରଥଯାତ୍ରା ଓ ସ୍ନାନଯାତ୍ରାରେ ବିଗ୍ରହମାନେ ସମସ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଶ୍ରୀମନ୍ଦିର ବାହାରକୁ ବିଜେ କରିଥାନ୍ତି ।  ଅଣହିନ୍ଦୁଙ୍କ ବର୍ଷବ୍ୟାପୀ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ମଧ୍ୟରେ  ଶ୍ରୀ ଶ୍ରୀ ପତିତପାବନଙ୍କର ପ୍ରତିଷ୍ଠା ହୋଇଛି । ଶ୍ରୀମନ୍ଦିରର ରୀତିନୀତି ତଥା ପ୍ରଚଳିତ ପରମ୍ପରା  ସମ୍ପର୍କରେ  କୌଣସି ପ୍ରଶ୍ନ ଉପୁଜିଲେ ଶାସ୍ତ୍ରୀୟ ସିଦ୍ଧାନ୍ତ ନିମନ୍ତେ ଶଙ୍କରାଚାର୍ଯ୍ୟ ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଉପଦେଶ ଗ୍ରହଣ କରାଯାଇଥାଏ । ଶାସ୍ତ୍ରୀୟ ବିଧିବିଧାନ ଓ ପରମ୍ପରାକୁ ବାଦଦେଇ ଶ୍ରୀମନ୍ଦିରର କୌଣସି ରୀତିନୀତିକୁ ପରିବର୍ତନ କରାଯିବା ସମୀଚୀନ ନୁହେଁ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

ଅଣହିନ୍ଦୁ ପ୍ରବେଶ ନେଇ ଶଙ୍କରାଚାର୍ଯ୍ୟ ଓ ପୁରୀ ଗଜପତିଙ୍କର ସ୍ପଷ୍ଟ ମତ ରହିଛି । ସେପଟେ ଏହାକୁ ରାଜନୈତିକ ମହଲରେ ମଧ୍ୟ ଏ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । ରେକର୍ଡ ଅଫ୍ ରାଇଟ୍ସ, ବଂଶାନୁକ୍ରମିକ ସେବାୟତ ପରମ୍ପରା ଆଦି ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତି ପାଳନ କରିବା କଷ୍ଟକର । ସେ କହିଛନ୍ତି, ଅନ୍ୟ ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟରେ ଫରକ ରହିଛି । ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଶ୍ରୀମନ୍ଦରରେ ସଂସ୍କାର ଆସିବା ଆବଶ୍ୟକ, ତେବେ ପରମ୍ପରାର ପରିବର୍ତନ ସହଜ ନୁହେଁ । ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସୁପ୍ରିମକୋର୍ଟଙ୍କ କପି ମିଳିବା ପରେ ପ୍ରସ୍ତାବ ଉପରେ ବିଚାର ବିମର୍ଶ କରାଯିବ । ପୁରୀ ଜିଲ୍ଲା ଜଜ୍ ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ଏହାକୁ ନେଇ ତର୍କ ବିତର୍କ ବଢିବାରେ ଲାଗିଛି । ବିଶେଷ କରି ବଂଶାନୁକ୍ରମିକ ସେବାୟତ ପରମ୍ପରା ବନ୍ଦ ଓ ମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ପ୍ରସଙ୍ଗରେ ପ୍ରସ୍ତାବ ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।