ମହାରାଷ୍ଟ୍ରରେ ଜାରି ରହିଛି ଧର୍ମକୁ ନେଇ ରାଜନୀତି: ହନୁମାନ ଚାଳିଶା ଗାନ କରି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ମିଳିଲା ବେଲ

111

କନକ ବ୍ୟୁରୋ: ଆଜାନ ବନାମ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ରାଜନୀତି । ଏହାରି ଭିତରେ ରାଜଦ୍ରୋହ ଦଫାରେ ଗିରଫ ହୋଇଥିବା ରଣା ଦମ୍ପର୍ତିଙ୍କୁ ବେଲ ମିଳିଛି । ସେପଟେ ରାଜ ଠାକରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଣେଶ ଚତୁର୍ଥି ଉତ୍ସବ ସମୟରେ କେବଳ ୧୫ ଦିନ ପାଇଁ ଲାଉଡ ସ୍ପିକର ବଜେଇବାର ମିଳେ । କିନ୍ତୁ କେଉଁ ନିୟମ ଆଧାରରେ ମସଜିଦ ଗୁଡିକରେ ୩୬୫ ଦିନ ଲାଉଡ ସ୍ପିକର ବଜେଇବାକୁ ଅନୁମତି ଦେଉଛନ୍ତି ମହାରାଷ୍ଟ୍ର ସରକାର । ବିବାଦ ବଢୁଥିବାରୁ ରାଜ୍ୟରେ ଆଇନ ସୃଙ୍ଖଳାର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ କର୍ମୀଙ୍କ ଛୁଟି ବାତିଲ ହୋଇଛି ।

ମହାରଷ୍ଟ୍ରରେ ଆଜାନ ଓ ହନୁମାନ ଚାଳିଶାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିବା ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିବାରୁ ଗିରଫ ହୋଇଥିବା ରାଣା ଦମ୍ପତଙ୍କୁ ବେଲ ମିଳିଛି । ରାଣା ଦମ୍ପତିଙ୍କ ବିରୁଦ୍ଧରେ ରାଜଦ୍ରୋହ ଦଫା ମଧ୍ୟ ଲଗାଇଥିଲା ମହାରାଷ୍ଟ୍ର ପୁଲିସ । ଯାହାକୁ କଡା ନିନ୍ଦା କରିବା ସହ ଶିବସେନାକୁ ଟାର୍ଗେଟ କରିଛି ବିଜେପି । ସେପଟେ ଏମଏନଏସ ପାର୍ଟିି ମୁଖ୍ୟ ରାଜ ଠାକରେଙ୍କୁ କଡା ସମାଲୋଚନା କରିଛି ଶିବସେନା । ଶିବସେନା କହିଛି, ରାଜଠାକରେ ଅଜଥାରେ ଗୋଟେ ଡ୍ରାମା କରୁଥିଲେ । ରାତି ପାହିଲା କଥା ସରିଲା ବୋଲି କହିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ ।

ମହାରାଷ୍ଟ୍ରରେ ଆଜାନ ଓ ହନୁମାନ ଚାଳିଶା ବିବାଦ ଥମିବାର ନା ନେଉନାହିଁ । ଗଣେଶ ଚତୁର୍ଥି ଉତ୍ସବ ସମୟରେ ରାଜ୍ୟ ସରକାର କେବଳ ୧୫ ଦିନ ପାଇଁ ଲାଉଡ ସ୍ପିକର ବଜେଇବାର ଅନୁମତି ଦିଅନ୍ତି । କିନ୍ତୁ କେଉଁ ନିୟମ ଆଧାରରେ ମସଜିଦ ଗୁଡିକରେ ୩୬୫ ଦିନ ଲାଉଡ ସ୍ପିକର ବଜେଇବାକୁ ସରକାର ଅନୁମତି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ ଠାକରେ । ବାଲା ସାହେବ ଠାକରେଙ୍କ ଏକ ପୁରୁଣା ଭାଷଣର ଭିଡିଓକୁ ଟୁଇଟ କରି ସରକାରଙ୍କୁ ଘେରିଛନ୍ତି ରାଜଠାକରେ । ଅନ୍ୟପଟେ ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାରୁ ଏମଏନଏସ କାର୍ଯ୍ୟକର୍ତାଙ୍କୁ ଅଟକ ରଖିଛି ପୁଲିସ । ରାଜ୍ୟରେ ଆଇନ ସୃଙ୍ଖଳାକୁ କଡା ଚ୍ୟାଲେଂଜ ରହିଥିବାରୁ ପୁଲିସ କର୍ମୀଙ୍କ ଛୁଟି ମଧ୍ୟ ନାମଜୁଂର ହୋଇଥିବା ଜଣାପଡିଛି । ମୁମ୍ବାଇରେ ବ୍ୟାପକ ମୁତୟନ କରାଯାଇଛି ।

ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ନାରେ ଜାମିନ ବିହୀନ ପରୱାନା ଜାରି କରିଛି ସାଙ୍ଗଲି ଜିଲ୍ଲା କୋର୍ଟ । ସେହିପରି ଏକାଧିକ ଏମଏନଏସ କାର୍ଯ୍ୟକର୍ତାଙ୍କ ନାଁରେ ନୋଟିସ ଜାରି କରିଛି ମହାରାଷ୍ଟ୍ର ପୁଲିସ । ଏମଏନଏସ ମୁଖ୍ୟ ରାଜ ଠାକରେ ଦେଇଥିବା କଂଟ ୩ ତାରିଖରେ ପୁରଣ ହୋଇ ସାରିଥିବାରୁ ଆଜାନ ବନାମ ହନୁମାନ ଚାଳିଶା ବିବାଦ ଆଗକୁ କେଉଁ ରୁପ ନେଉଛି ଦେଖିବାକୁ ବାକି ରହିଲା ।