ବାଜ୍ୟାପ୍ତ ହେବ ଅର୍ଥନୈତିକ ଅପରାଧିଙ୍କ ବିଦେଶରେ ଥିବା ସଂପତି : ସଂସଦର ଶୀତ ଅଧିବେଶନରେ ନୂଆ ବିଲ୍ ଆଣିବେ ସରକାର

ସେପଟେ ଏନଡିପିଏସ ଆଇନରେ ସଂଶୋଧନ ପାଇଁ ରହିଛି ପ୍ରସ୍ତା; ନିଶା ଖାଉଥିଲେ, ଜେଲ ପରିବର୍ତ୍ତେ, ସାମାଜିକ ସେବା କରିବାକୁ ମିଳିପାରେ ଦଣ୍ଡ

70

କନକ ବ୍ୟୁରୋ : ଋଣ ଠକେଇ କରି ଦେଶ ଛାଡି ଚାଲି ଯାଉଥିବା ପଳାତକଙ୍କ ବିଦେଶ ସଂପତି ଜବତ କରିବାକୁ ଆସିବ ନୂଆ ଆଇନ । ଏହି ଆଇନ ଜରିଆରେ ବ୍ୟାଙ୍କଗୁଡିକୁ ବିଶେଷ କ୍ଷମତା ପ୍ରଦାନ କରାଯିବ । ବିଶ୍ୱସ୍ତରରେ ପ୍ରଚଳିତ ହେଉଥିବା ଆଇନ ଅନୁଯାୟୀ ଏହାକୁ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ମୋଦୀ ସରକାର । ଫଳରେ ଅନ୍ତର୍ଜାତୀୟ ସ୍ତରରେ ଏଭଳି ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ ଲଢିବା ସହଜ ହେବ । ସେମାନଙ୍କ ବିଦେଶରେ ଥିବା ସଂପତିକୁ ଜବତ କରିବା ପାଇଁ ବ୍ୟାଙ୍କଗୁଡିକୁ ବିଦେଶ କୋର୍ଟରେ ଆବେଦନ କରିବାରେ ସୁବିଧା ହୋଇପାରିବ ।

ଆଗାମୀ ୨୯ ତାରିଖରେ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ୨୬ଟି ବିଲ ଆଣିବାକୁ ଯୋଜନା କରିଛନ୍ତି ମୋଦୀ ସରକାର । ଏଥିରେ ରହିଛି ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କ କରପ୍ସି କୋଡ- ଆଇବିସି ସଂଶୋଧନ ବିଲ । ସଂଶୋଧିତ ବିଲରେ ଏଭଳି କିଛି ବ୍ୟବସ୍ଥା ରହିଛି ଯାହାଦ୍ୱାରା ଦେଶ ଭିତର କୋର୍ଟ, ବିଦେଶ କୋର୍ଟ ଏବଂ ଇନସଲଭେନ୍ସି ପେସାଦାରମାନଙ୍କ ମଧ୍ୟରେ ଭଲ ସମନ୍ୱୟ ରହିପାରିବ । କିଛି ସଂସ୍ଥା ବିରୋଧରେ ଭୟ ଦେଶ ବିଦେଶରେ ଇନସଲଭେନ୍ସି ପ୍ରକ୍ରିୟା ଆରମ୍ଭ ହୋଇପାରିବ ।

 ସରକାର ମଧ୍ୟ ସଂସଦର ଆଗାମୀ ଶୀତ ଅଧିବେଶନରେ ଏନଡିପିଏସ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବାକୁ ଯୋଜନା ରଖିଛନ୍ତି । ନିଶା ସେବନ କରୁଥିବା ବ୍ୟକ୍ତିଙ୍କୁ ଥଇଥାନ କେନ୍ଦ୍ରରେ ଚିକିତ୍ସା କରାଯିବ । ଯଦି ସେମାନେ ଏଥିପାଇଁ ରାଜି ନହୁଅନ୍ତି ତେବେ ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ କିମ୍ବା ସରକାରୀ ସହାୟତାରେ ଚାଲିଥିବା କେନ୍ଦ୍ରରେ ସାମାଜିକ ସେବା କରିବାକୁ ହେବ । ଏଥିସହ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ବ୍ୟବସ୍ଥା ରହିପାରେ ।

ବର୍ତ୍ତମାନର ଆଇନ ଅନୁସାରେ ନିଶା ଖାଇଥିବା ଅଭିଯୋଗରେ ବର୍ଷେ ଜେଲ କିମ୍ବା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି । ଏନଡିପିଏସ ଆଇନର ଧାରା ୨୭ରେ ଡ୍ରଗ୍ସ ସେବନ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ପ୍ରଦାନର ବ୍ୟବସ୍ଥା ରହିଛି । ସଂଶୋଧିତ ଆଇନରେ ଧାରା ୨୭ରୁ ପନିସମେଂଟ ଶବ୍ଦକୁ ବାଦ୍ ଦିଆଯାଇପାରେ । ତେବେ ସଂଶୋଧିତ ଆଇନର ପ୍ରଭାବ କୌଣସି ପିଛିଲା ମାମଲା ଉପରେ ପଡିବ ନାହିଁ ।