କୋଭିଡ-୧୯ ଭ୍ୟାକ୍ସିନ : ୨ ଦିନରେ ଟିକା ନେବାକୁ ପଞ୍ଜିକରଣ କଲେଣି ୨.୪୫ କୋଟି ଲୋକ । ଟିକା ଅଭାବରୁ ବିଭିନ୍ନ ରାଜ୍ୟରେ କାଲିଠାରୁ ହୋଇପାରିବ ନାହିଁ ଟିକାକରଣ

175

କନକ ବ୍ୟୁରୋ : ଦେଶରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସ୍କ ଲୋକ ଟିକା ନେବାକୁ ଏପ୍ରିଲ ୨୮ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ପ୍ରକ୍ରିିୟାରେ ୨ ଦିନ ମଧ୍ୟରେ ୨.୪୫ କୋଟି ଲୋକ ସାମିଲ ହୋଇଥିବା କୁହାଯାଇଛି । କୋ-ୱିନ୍ ଆପ୍ ଓ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଏହି ପଞ୍ଜିକରଣ ଚାଲୁ ରହିଛି ।

ଏପ୍ରିଲ ୨୮ ତାରିଖରେ ୧.୩୭ କୋଟି ଲୋକ ପଞ୍ଜିକରଣ କରିଥିବା ବେଳେ ୨୯ ତାରିଖରେ ୧.୦୪ କୋଟି ଓ ୩୦ ତାରିଖରେ ସକାଳ ୮.୩୦ ସୁଦ୍ଧା ୪.୩୮ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । ସେପଟେ ଲୋକମାନେ ପଞ୍ଜିକରଣ କରୁଥିଲେ ବି କେଉଁ ତାରିଖରେ ତାଙ୍କୁ ଭ୍ୟାକ୍ସିନ ମିଳିବ ତାହା ସ୍ଥିର ହୋଇନାହିଁ । ଆରୋଗ୍ୟ ସେତୁ ତରଫରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି କି, ଲୋକମାନଙ୍କୁ ସେତେବେଳେ ତାରିଖ କୁହାଯିବ ଯେତେବେଳେ ସେହି ରାଜ୍ୟର ସରକାର ତାଙ୍କ ପାଖରେ ଟିକା ମହଜୁଦ ଥିବା ନେଇ ସ୍ପଷ୍ଟ କରିବେ ।

କହିରଖୁ କି ଭାରତରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧିପାଇବାରେ ଲାଗିଛି । ଏଭଳି ସଂକ୍ରମଣ ଦେଖି ଲୋକମାନେ ତୁରନ୍ତ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପଟେ ଆସ୍ତାକାଲି ଠାରୁ ୧୮ ବର୍ଷରୁ ଉଦ୍ଧ ଓ ୪୫ ବର୍ଷରୁ କମ୍ ବୟସର ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ବି ବିଭିନ୍ନ ରାଜ୍ୟ ସରକାର ଟିକା ନଥିବା କାରଣରୁ ଆସନ୍ତାକାଲି ଠାରୁ ଟିକା ଦେଇପାରିବେ ନାହିଁ ବୋଲି କହିଛନ୍ତି ।