ଗାଁ ଦାଣ୍ଡରେ କମ୍ପାନୀର ନାଲି ପାଣି । ୧୬ ବର୍ଷ ହେଲା ସୁଧୁରିନି ସମସ୍ୟା

122

କନକ ବ୍ୟୁରୋ: ପାରାଦୀପର ନୂଆଗଡ ପଞ୍ଚାୟତ ମୂଷାଡିହା ଗାଁରେ ଯୁଆଡ଼େ ଚାହିଁବ ନାଲି ରଙ୍ଗର ପାଣି । ଗ୍ରାମବାସୀଙ୍କ ଅଭିଯୋଗ ହେଲା ଆର୍ସେଲର ମିତଲ କମ୍ପାନୀ ଯୋଗୁଁ ଏପରି ଅବସ୍ଥା ହେଇଛି । ଖରାଦିନେ କମ୍ପାନୀର ଆଇରନ୍ ଗୁଣ୍ଡରେ ଚଳିବା କଷ୍ଟକର ହୋଇପଡୁଥିବା ବେଳେ ବର୍ଷା ଆରମ୍ଭରୁ ଗାଁରେ ଆଇରନ୍ ମିଶ୍ରିତ ନାଲି ପାଣି ଭର୍ତ୍ତି ହୋଇଗଲାଣି । ସମସ୍ୟା ସମାଧାନ ଦାବିରେ ମହିଳା-ପୁରୁଷ ଏକାଠି ହୋଇ କମ୍ପାନୀ ବିରୋଧରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଦାବିପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଗାଁ ଲୋକଙ୍କ ଅଭିଯୋଗ ହେଲା, ଏ ସମସ୍ୟା ବର୍ଷେ ଦୁଇ ବର୍ଷର ନୁହେଁ, ଦୀର୍ଘ ୧୬ ବର୍ଷର । ଏସାର କମ୍ପାନୀ ନିର୍ମାଣ ହେବା ଦିନ ଠାରୁ ସେମାନଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । ୨୦୧୯ରେ ଏସାର କମ୍ପାନୀକୁ ଆର୍ସେଲର ମିତଲ କମ୍ପାନୀ କିଣିନେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଦ୍ୱିଗୁଣିତ ହୋଇଛି । କମ୍ପାନୀ ନିର୍ମାଣ ପର ଠାରୁ ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି । ଫଳରେ ବର୍ଷା ଦିନେ ଗ୍ରାମବାସୀ ଜଳବନ୍ଦୀ ଜୀବନ ବିତାଉଥଛନ୍ତି । ଚଳିତ ବର୍ଷର ପ୍ରଥମ ବର୍ଷାରେ ନୂଆଗଡ ପଞ୍ଚାୟତର ଦୁଇଟି ୱାର୍ଡରେ ପାଣି ଜମି ରହିଛି । ସେପଟେ କମ୍ପାନୀ ଅଧିକାରୀ କହିଛନ୍ତି, ଜଳନିଷ୍କାସନ ପାଇଁ ଚେଷ୍ଟା ଜାରି ରହିଛି ।