ବତିକୁ ନେଇ ବିବାଦ ! ନାଲିବତି ଗାଡିକୁ ନେଇ ଏବେ ବି କିଛି ଅଧିକାରୀଙ୍କ ତୁଟୁନି ମୋହ

21

କନକ ବ୍ୟୁରୋ : ସାରା ଦେଶରେ ଭିଆଇପି ସଂସ୍କୃତି ବନ୍ଦ କରିବା ଲାଗି ନାଲିବତି ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ନିଷ୍ପତି ପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ ବଡ ଅଧିକାରୀ ନିଜ ନିଜ ଗାଡିରୁ ନାଲିବତି ହଟାଇଦେଇଛନ୍ତି । କିନ୍ତୁ ଏବେ ବି କିଛି ଅଧିକାରୀଙ୍କ ବତି ଲାଗିଥିବା ଗାଡି ମୋହ ତୁଟୁନି । ବତିଲଗା ଗାଡିରେ ନିଜ ଅଫିସକୁ ଆସି ହଟହଟା ହୋଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ।

ଘଟଣା ଥିଲା ଏହିଭଳି । ରାଜ୍ୟ ବାର କାଉନସିଲ ଆହ୍ୱାନରେ ରାଉରକେଲା ବାର ଆସୋସିଏସନର ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ଶୋଭାଯାତ୍ରାରେ ଏଡିଏମ ଅଫିସକୁ ଆସିଥିଲେ । ଏହାର କିଛି ସମୟ ପରେ ଏଡିଏମ କମଳାରଙ୍ଗ ବତି ଲଗା ଗାଡିରେ ଅଫିସରେ ପହଂଚିଥିଲେ । ଏହାକୁ ନେଇ ଓକିଲମାନେ ପ୍ରବଳ ହୋହଲ୍ଲା କରିବା ସହ କାହିଁକି ଗାଡିରୁ ବତି କାଢିନାହାଁନ୍ତି ବୋଲି ଏଜିଏମଙ୍କୁ ପ୍ରଶ୍ନ କରି ତୀବ୍ର ପ୍ରତିବାଦ କରିଥିଲେ ।

ସଂପୃକ୍ତ ଅଧିକାରୀ ସ୍ମାରକପତ୍ର ଗ୍ରହଣ କରିଥିଲେ ବି ବତି ହଟାଇବା ନେଇ ଓକିଲମାନେ ହୋହଲ୍ଲା ଜାରି ରଖିଥିଲେ । କେନ୍ଦ୍ର କ୍ୟାବିନେଟ ନିଷ୍ପତି ପରେ ରାଉରକେଲା ଉପଜିଲ୍ଲାପାଳ ତାଙ୍କ ଗାଡିରୁ ବତି ଦୁଇଦିନ ତଳୁ କାଢିସାରିଛନ୍ତି । କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ବତି ନହଟାଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।