ଆମେରିକାରେ ହସ୍ପିଟାଲରେ ଭର୍ତ୍ତି ହେଲେଣି ରେକର୍ଡ ସଂଖ୍ୟକ ଆକ୍ରାନ୍ତ । ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମେଡିକାଲରେ ପଡୁଛି ଚାପ

ଲକ୍ଷେ ୩୨ ହଜାରରୁ ଅଧିକ ହେଉଛନ୍ତି ଚିକିତ୍ସିତ

148

କନକ ବ୍ୟୁରୋ : ଆମେରିକାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି । ଦେଶରେ ଏବେ ଦୈନିକ ଲକ୍ଷେ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତବର୍ଷ ଦେଶରେ ଡେଲଟା ଆକ୍ରାନ୍ତ ଅଧିକ ଥିବା ବେଳେ ଲକ୍ଷେ ୩୨ ହଜାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ କିନ୍ତୁ ତିନି ସପ୍ତାହ ହେବ ଡେଲଟା ତୁଳନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ବଢି ଚାଲିଛି ।  ଡିସେମ୍ବର ଯାଏ ହସ୍ପିଟାଲରେ ବେଡ୍ ସଂଖ୍ୟା ଏତେଟା ଭର୍ତି ହୋଇନଥିଲା । କିନ୍ତୁ ଏବେ ହଠାତ୍ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଯାଇଛି । ତେଣୁ ଦେଶର ସ୍ୱାସ୍ଥ୍ୟାବସ୍ଥା ଉପରେ ବୋଝ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ହସ୍ପିଟାଲରେ ବଢୁଥିବାରୁ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆମେରିକାରେ ଏବେ କରୋନାରେ ଦୈନିକ ପ୍ରାୟ ହଜାରେ ଉପରେ ପ୍ରାଣ ହରାଉଛନ୍ତି ।

ଓମିକ୍ରନ୍ ଭାରିଆଣ୍ଟ କମ୍ ଗୁରୁତର ବୋଲି କୁହାଯାଉଥିଲେ ବି ଆମେରିକାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଓମିକ୍ରନ ଆକ୍ରାନ୍ତ ହୋଇ ଆମେରିକାର ଡାକ୍ତରଖାନାରେ ହଜାର ହଜାର ଲେ‌ାକେ ଭର୍ତ୍ତି ହେବାରେ ଲାଗିଛନ୍ତି । ତିନି ସପ୍ତାହ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ୍ -୧୯ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । କୋଭିଡ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟାରେ ବୃଦ୍ଧି ଏବଂ କର୍ମଚାରୀଙ୍କ ଅଭାବ ପାଇଁ ଯୁକ୍ତରାଷ୍ଟ୍ରର ଅନେକ ଡାକ୍ତରଖାନାରେ ଜରୁରୀ ନଥିବା ଅସ୍ତ୍ରୋପଚାରକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି । କେବଳ ଆମେରିକା ନୁହେଁ ବ୍ରିଟେନ, ଫ୍ରାନ୍ସ ଏବଂ ଇଂଲଣ୍ଡ ଭଳି ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସେହିଭଳି ଭାରତରେ ମଧ୍ୟ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ୫ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଓମିକ୍ରନ ପାଇଁ ୨ଲକ୍ଷ ଛୁଇଁବାକୁ ବସିଲାଣି । ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୦୬୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୭୭ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ହାର କମ ରହିଛି । ଗତକାଲି ସଂକ୍ରମଣ ହାର ୧୨.୬% ଥିବା ବେଳେ ଆଜି ୧୦.୬୪% ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି ।