ଗୁଜରାଟ ରାଜନୀତିରେ ନୂଆ ମୋଡ଼: ‘ଜନ ବିକଳ୍ପ’ରେ ଯୋଗ ଦେଲେ ବାଘେଲା

36

କନକ ବ୍ୟୁରୋ : ଗୁଜରାଟ ରାଜନୀତି ଏକ ନୂଆ ମୋଡ଼ ନେଇଛି । ପୂର୍ବତନ କଂଗ୍ରେସ ନେତା ଶଙ୍କରସିଂ ବାଘେଲା ଯିଏ ନିକଟରେ କଂଗ୍ରେସ ଦଳ ଛାଡ଼ିଥିଲେ ଗତକାଲି ସେ ତାଙ୍କ ସମର୍ଥକଙ୍କ ଦ୍ୱାରା ଗଠିତ ହୋଇଥିବା ଏକ ନୂଆ ଦଳ ‘ଜନ ବିକଳ୍ପ’ରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ବାଘେଲା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ଲୋକମାନେ ବିଜେପି ଓ କଂଗ୍ରେସକୁ ନେଇ ସମ୍ପୂର୍ଣ୍ଣ ଅସନ୍ତୋଷ ହୋଇପଡ଼ିଛନ୍ତି ଏବଂ ସେମାନେ ଏହାର ବିକଳ୍ପ ଚାହୁଁଥିବାବେଳେ ଜନ ବିକଳ୍ଵ ଏହାର ସଠିକ୍ ବିକଳ୍ପ । ତେବେ ‘ଜନ ବିକଳ୍ପ’କୁ ସେ ଦଳର ଆଖ୍ୟା ଦେଇନାହାନ୍ତି ବରଂ କହିଛନ୍ତି ଏହା ଏକ ମୋର୍ଚ୍ଚା । ବାଘେଲା କହିଛନ୍ତି, ସେ ମୋଦି କି ଶାହ କିମ୍ବା ସୋନିଆଙ୍କୁ ସମାଲୋଚନା କରୁନାହାନ୍ତି ବରଂ ସେ ରାଜ୍ୟରେ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି ।

ବାଘେଲାଙ୍କ ତୃତୀୟ ମୋର୍ଚ୍ଚା ‘ଜନ ବିକଳ୍ପ’ ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସକୁ କଡ଼ା ଟକ୍କର ଦେବ । ସେ କହିଛନ୍ତି, ନୂଆ ମୋର୍ଚ୍ଚା ଅଧିନରେ ଯେଉଁ ସ୍ୱାଧୀନ ପ୍ରାର୍ଥୀମାନେ ପଞ୍ଜିକୃତ ହେବେ ସେମାନଙ୍କୁ ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପୂର୍ଣ୍ଣ ସମର୍ଥନ ମିଳିବ । ‘ଜନ ବିକଳ୍ପ’ ଗୁଜରାଟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଥିବାବେଳେ ଏହା ଏକ ବିକଳ୍ପ ରାଜନୀତିକ ଶକ୍ତି ଭାବେ ସମାଜରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବ ବୋଲି ବାଘେଲା କହିଛନ୍ତି ।

ଜନ ବିକଳ୍ପ ୱେବସାଇଟ୍ ସୂତ୍ରରୁ କୁହାଯାଇଛି ଯେ, ଗତ ୭୦ ବର୍ଷ ଭିତରେ ବିଜେପି ଏବଂ କଂଗ୍ରେସ କେବଳ ଅତ୍ୟାଚାର, ଶୋଷଣ, ଗରିବି, ଭୟ ଏବଂ ଦୁର୍ନିତି ଛଡ଼ା ଅନ୍ୟ କିଛି ଦେଇନାହିଁ । ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବାଘେଲା ଗତ ଜୁଲାଇରେ ଗୁଜରାଟ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଅନ୍ୟ ୧୩ ବିଧାୟକଙ୍କ ସହ ଦଳ ତ୍ୟାଗ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣ ବିଜେପିରେ ଯୋଗଦେଇସାରିଥିବାବେଳେ ବାଘେଲାଙ୍କ ସମର୍ଥକମାନେ ସେ ‘ଜନ ବିକଳ୍ପରେ’ ଯୋଗ ଦେବାକୁ ଚାହିଁଥିଲେ ।