ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ବୟାନ । କହିଲେ ଅକ୍ସିଜେନ ଯୋଗାଣ ପାଇଁ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ

164

କନକ ବ୍ୟୁରୋ : କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ମେଡିକାଲରେ ଅକ୍ସିଜେନର ଅଭାବ ମଧ୍ୟରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି କି ଅକ୍ସିଜେନ ଯୋଗାଣ ପାଇଁ ଆବଶ୍ୟକ ପଡିଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ଅଛନ୍ତି । ଗଣମାଧ୍ୟମକୁ ରାଜେଶ କହିଛନ୍ତି କି ରାଜ୍ୟରେ ଲୋକମାନଙ୍କ ଜୀବନ ବଂଚାଇବାକୁ ରାଜ୍ୟ ସରକାର କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଅକ୍ସିଜେନ ବିତରଣ କ୍ଷମତା କେନ୍ଦ୍ର ସରକାର ହାତରେ ଥିବାରୁ କେନ୍ଦ୍ର ସରକାର ଏହାର ତୁରନ୍ତ ଉପଯୋଗ କରିବା ଦରକାର । ଏହାସହ ମହାରାଷ୍ଟ୍ରର ଜନସଂଖ୍ୟା ଓ ସ୍ଥିତିକୁ ଦେଖି ମହାରାଷ୍ଟ୍ରକୁ କିଭଳି ଅଧିକ ଅକ୍ସିଜେନ ଯୋଗାଇ ଦିଆଯାଇପାରିବ ସେ ନେଇ କେନ୍ଦ୍ର ସରକାର ସ୍ୱତନ୍ତ୍ର ବିଚାର କରିବାର ଆବଶ୍ୟକତା ରହିଛି । ଏହା ସହ ଅକ୍ସିଜେନ ନେଇ ଆସୁଥିବା ଟ୍ୟାଙ୍କର ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିବା ଦରକାର , କାରଣ ବିନା ପ୍ରତିବନ୍ଧକରେ ଓ କମ୍ ସମୟ ମଧ୍ୟରେ ଏହା ଗନ୍ତବ୍ୟ ସ୍ଥଳରେ ପହଂଚିପାରିବ ।

ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ଦିନ ମହାରାଷ୍ଟ୍ରରେ ୬୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୮ ଜଣ ଲୋକଙ୍କର ଜୀବନ ଯାଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ର୍ୟ ବିଭାଗର ସୂଚନା ମୁତାବକ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୯୪ ହଜାର ୮୪୦ ଓ ମୋଟ ମୃତକଙ୍କ ସଂଖ୍ୟା ୬୨,୪୭୯ ରେ ପହଂଚିଛି ।