ବଦଳିବ ଉତ୍ତରପ୍ରଦେଶ ରାଜନୀତିର ରଙ୍ଗ ! ଏକାଠି ଲଢିବେ ଅଖିଲେଶ ଓ ମାୟାବତୀ, ମହାମେଣ୍ଟରେ ସାମିଲ ହେବନି କଂଗ୍ରେସ ।

134

କନକ ବ୍ୟୁରୋ : ୟୁପିରେ ଲୋକସଭା ନିର୍ବାଚନ ଏକାଠି ଲଢିବେ ସପା ଓ ବସପା । ମୋଦିଙ୍କ ବିରୋଧରେ ଏକାଠି ଲଢିବେ ଅଖିଲେଶ ଓ ମାୟାବତୀ । ନୂଆଦିଲ୍ଲୀରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ବହୁଜନ ସମାଜପାର୍ଟି ସୁପ୍ରିମୋ ମାୟାବତୀଙ୍କ ମଧ୍ୟରେ ପ୍ରାୟ ୩ଘଂଟାଧରି ବୈଠକ ହୋଇଛି । ତେବେ ମହାମେଂଟରେ କଂଗ୍ରେସକୁ ସାମିଲ କରାଯିବନାହିଁ ବୋଲି ସୂଚନା ମିଳିଛି ।

ବୈଠକ ମାୟାବତୀଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୋଇଛି । ସୂଚନା ଅନୁସାରେ ୟୁପିର ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଂଟା ନେଇ ଆଲୋଚନା ହୋଇଛି । ଏପରିକି ଆସନ ବୁଝାମଣା ନେଇ ଏକ ନୂଆ ଫର୍ମୁଲା ଉପରେ ଆଲୋଚନା ହୋଇଥିବା ଜଣାପଡିଛି । କୁହାଯାଉଛି ୟୁପିର ୩୫ଟି ଆସନରୁ ନିର୍ବାଚନ ଲଢିବ ସମାଜବାଦୀ ପାର୍ଟି । ଏବଂ ୩୬ଟି ଆସନରୁ ନିର୍ବାଚନ ଲଢିବ ବହୁଜନ ସମାଜ ପାର୍ଟି । ସେପଟେ ୩ଟି ଆସନ ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳକୁ ଓ ୪ଟି ଆସନ ସଂରକ୍ଷିତ ରଖିବାକୁ ସହମତି ହୋଇଛି । ଅପରପକ୍ଷରେ ଅମେଠି ଓ ରାୟବରେଲିରେ ମେଂଟ ପକ୍ଷରୁ କୌଣସି ପ୍ରାର୍ଥୀ ଲଢିବେ ନାହିଁ ବୋଲି ଜଣାପଡିଛି । ଆମେଠିରୁ ରାହୁଲ ଓ ରାୟବରେଲିରୁ ସୋନିଆ ସାଂସଦ ଅଛନ୍ତି ।