୩ ଖେଳାଳୀଙ୍କୁ ରିଟେନ ରଖିଲା ବାଙ୍ଗାଲୋର । ପ୍ରଥମ ପସନ୍ଦର ଖେଳାଳୀ ସାଜିଲେ ବିରାଟ, ଜାଣନ୍ତୁ କାହା ପାଇଁ କେତେ ଖର୍ଚ୍ଚ କଲା ଆରସିବି ।

626

କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପୂର୍ବରୁ ପୁରୁଣା ୮ଟି ଫ୍ରାଞ୍ଚାଇଜ ନିଜ ମନପସନ୍ଦର ଖେଳାଳୀଙ୍କୁ ରିଟେନ କରିଛନ୍ତି । ଆଉ ଏହି କ୍ରମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ ଜଣ ଖେଳାଳୀଙ୍କୁ ରିଟେନ କରିଛି । ବିରାଟ କୋହଲିଙ୍କ ସମେତ ଗ୍ଲେନ ମ୍ୟାକ୍ସୱେଲ ଓ ମହମ୍ମଦ ସିରାଜଙ୍କୁ ରିଟେନ କରିଛି ବାଙ୍ଗାଲୋର । ବିରାଟଙ୍କୁ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୫ କୋଟି ଦେଇ ଦଳ ଟିମରେ ରଖିଥିବା ବେଳେ ମ୍ୟାକ୍ସୱେଲଙ୍କୁ ଦ୍ୱିତୀୟ ପସନ୍ଦର ଖେଳାଳୀ ଭାବେ ୧୧ କୋଟି ଦେଇ ଦଳ ରିଟେନ କରିଛି । ସେହିଭଳି ଆଶ୍ଚର୍ଯ୍ୟଜନକ ଭାବେ ବାଙ୍ଗାଲୋର ତୃତୀୟ ପସନ୍ଦର ଖେଳାଳୀ ଭାବେ ମହମ୍ମଦ ସିରାଜଙ୍କୁ ୭ କୋଟି ଦେଇ ରିଟେନ କରିଛି । ଏହିଭଳି ଭାବେ ୩ ଖେଳାଳୀଙ୍କୁ ରିଟେନ କରିବାକୁ ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି ।

ବାଙ୍ଗାଲୋର ୟୁଜବେନ୍ଦ୍ର ଚହଲ, ୨୦୨୧ରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହର୍ଷଲ ପଟେଲ, ଦେବୀଦତ୍ତ ପାଡିକଲ ଏବଂ କାଇଲି ଜେମିସନଙ୍କ ଭଳି ଷ୍ଟାର ଖେଳାଳୀଙ୍କୁ ରିଲିଜ କରିଛି । ତେଣୁ ଏମାନଙ୍କୁ ପୁଣିଥରେ ମହାନିଲାମୀରେ ଦଳ କିଣୁଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିବ । ୨୦୨୧ ଆଇପିଏଲ ପରେ କୋହଲି ବାଙ୍ଗାଲୋର ଟିମର ଅଧିନାୟକ ପଦ ଛାଡିଥିବା ବେଳେ ଏଥର ଦଳ କାହା ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ତାହା ଦେଖିବା ବାକି ରହିଲା ।