ଚାକିରିରୁ ଅବସର ପରେ ଛତୁ ଚାଷ କଲେ ରାୟଗଡ଼ାର ଦୁର୍ଯ୍ୟୋଧନ ଶବର। ଛତୁ ବିହନ ବି କରୁଛନ୍ତି ଉତ୍ପାଦନ।

165

କନକ ବ୍ୟୁରୋ: ପୋଲିସ ଚାକିରି ଛାଡି ଛତୁ ଚାଷ କରି ଯୁବପିଢୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଆଦିବାସୀ ଯୁବକ ଦୁର୍ଯ୍ୟୋଧନ ଶବର । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘ ୩୩ ବର୍ଷ ଧରି ପୋଲିସ ବିଭାଗରେ କନଷ୍ଟେବଳ ଭାବେ ଚାକିରି କରୁଥିଲେ । ପିଲାଟି ଦିନରୁ ଚାଷ ପ୍ରତି ଆଗ୍ରହ ରଖିଥିବା ଦୁର୍ଯ୍ୟୋଧନ, ଚାକିରି ସମୟରେ ଅନେକ କୃଷି ଫାର୍ମ ବୁଲି ଦେଖିବା ସହ ବିଭିନ୍ନ ପଦ୍ଧତିରେ ଚାଷବାସ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଆଉ ନିଜେ ସ୍ୱାବଲମ୍ବୀ ସହ ନିଜ ଅଞ୍ଚଳରେ କୃଷି ଓ କୃଷକଙ୍କ ବିକାଶ ପାଇଁ ମନସ୍ତ କରି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଚାଲି ଆସିଥିଲେ ନିଜ ଜନ୍ମସ୍ଥାନ ଭୁଲୂସୁଣ୍ଡା ଗାଁକୁ । ନିଜର ଜମିବାଡି ଥିବାରୁ ସ୍ଥାନୀୟ ଅଞ୍ଚଳରେ ନୂଆ ପ୍ରଣାଳୀରେ ଚାଷ କରିବା ପାଇଁ ଯୋଜନା କରି ଛତୁ ଚାଷ କରୁଛନ୍ତି ।

ନଡା କୁଟାରେ ବେଡ଼ ପ୍ରସ୍ତୁତ କରି ଧାଡ଼ି ଧାଡ଼ି କରି ୧୦୦ ରୁ ଉଦ୍ଧ୍ୱର୍ ବେଡ୍ ପକାଇଛନ୍ତି । ଫାର୍ମ ଭିତରେ କେତେ ତାପମାତ୍ରା ଓ ଆଦ୍ରତା ରହିଛି ଜାଣିବା ପାଇଁ ଖଞ୍ଜାଯାଇଛି ମେସିନ । ଛତୁ ବେଡରେ ଯେପରି ପାଣି ଠିକ ଭାବରେ ସିଞ୍ଚନ ହୋଇପାରିବ ଏଥିପାଇଁ ଲାଗିଛି ଛୋଟ ଛୋଟ ସିଞ୍ଚନକାରୀ ମେସିନ । ଗୋଟିଏ ଶଯ୍ୟା ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସେଥିରୁ କିଲୋରୁ ଦେଢ କିଲୋ ଛତୁ ଉତ୍ପାଦିତ ହେଉଛି । ଫାର୍ମରୁ ଉତ୍ପାଦିତ ଛତୁ ନିକଟସ୍ଥ ବଜାରରେ ବିକ୍ରୟ କରି ବେଶ ଲାଭବାନ ହୋଇଛନ୍ତି ଚାଷୀ ଦୁର୍ଯ୍ୟୋଧନ । ଛତୁ ଚାଷ ସହିତ ନିଜେ ଛତୁବିହନ ପ୍ରକ୍ରିୟାକରଣ କରି ଉତ୍ପାଦନ ମଧ୍ୟ କରୁଛନ୍ତି । ଅନ୍ୟ ଫସଲ ଅପେକ୍ଷା ଛତୁ କମ ଦିନରେ ଅମଳ ହେଉଥିବାରୁ ଏହି ଚାଷ କରି ବେଶ ଲାଭବାନ ହୋଇପାରୁଥିବାର କହିଛନ୍ତି ଚାଷୀ । ଛତୁ ଚାଷ କରି ନିଜେ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତ ଦୁର୍ଯ୍ୟୋଧନ ।