ଜଳେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା । ଅଭିଯୁକ୍ତକୁ ଗିରଫ କଲା ରାୟଗଡା ପୋଲିସ । ଆଶ୍ରମ ଯାଇ ସୁରକ୍ଷା ବ୍ୟବସ୍ଥା ଦେଖିଲା ବିଜେପି ପ୍ରତିନିଧି ଦଳ ।

69

କନକ ବ୍ୟୁରୋ: ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ଆଢୁଆଳରେ କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମ  । ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଏବଂ ଆଶ୍ରମକୁ ବୋମା ପକାଇ ଉଡାଇ ଦିଆଯିବା ଧମକ ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଟି ଫୋନକଲରେ ଧମକ ପରେ ଏହାକୁ ବେଶ ଗୁରୁତର ସହ ନେଇଛି ପୋଲିସ ।

କାରଣ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଦିନକ ପରେ ଦୁର୍ବୃତ ଆଶ୍ରମ ମଧ୍ୟରେ ପଶି ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।

ଗତ ୨୪ ଘଂଟା ମଧ୍ୟରେ ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟ ଜୀବନା ମୁକ୍ତାନନ୍ଦ ପୁରୀଙ୍କୁ ଆସିଥିଲା ଦୁଇଟି ଫୋନ କଲ । ଏହି ଫୋନ କଲରେ ଦୁବୃର୍ତ୍ତ  ଧମକ ଦେଇଥିଲା ଓ ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି କହିଥିଲା । ରବିବାର ସକାଳ ୯ଟା ସମୟରେ ପୁଣି ଥରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ । ଆସନ୍ତା ୪ ଦିନ ମଧ୍ୟରେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଫୋନରେ ଧମକ ଦେଇଥିବା ଯୁବକକୁ ଗିରଫ କରିଛି ରାୟଗଡା ପୋଲିସ । । ପୋଲିସର କହିବା ହେଲା ଆଶ୍ରମ ମୁଖ୍ୟଙ୍କ ସହ ପୂର୍ବ ବିବାଦ କାରଣରୁ ଏପରି ଧମକ ଦେଇଛି ଯୁବକ । ଅନ୍ୟପକ୍ଷରେ କିନ୍ତୁ ଆଶ୍ରମ ମୁଖ୍ୟ ଏହି ଗିରଫଦାରୀକୁ ଗ୍ରହଣ କରୁନାହାନ୍ତି ।

ସେପଟେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଜଲେଶପଟ୍ଟା ଆଶ୍ରମ ଯାଇ ଜୀବନା ମୁକ୍ତାନନ୍ଦ ପୁରୀଙ୍କୁ ଭେଟିବା ସହିତ ସୁରକ୍ଷା ବ୍ୟବସ୍ଥା ନେଇ କନ୍ଧମାଳ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ଏପଟେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।