କନକ ବ୍ୟୁରୋ: ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଭିତରେ ଟିମ୍ ଇଣ୍ଡିଆ ପାଇଁ ଆସିଛି ଖୁସି ଖବର । ଭାରତୀୟ ଅଫ୍ ସ୍ପିନର ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଇଂଲଣ୍ଡର ଦ୍ରୁତ ବୋଲର ଜେମସ୍ ଆଣ୍ଡରସନଙ୍କୁ ହଟେଇ ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ନମ୍ବର-ଏକ ସ୍ଥାନକୁ ଉଠିଛନ୍ତି ।

Advertisment

ଅଶ୍ୱିନୀ ଭାରତ- ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ୬ ୱିକେଟ୍ ନେବା ସହିତ କଙ୍ଗାରୁ ଟିମକୁ ଅସୁବିଧାରେ ପକାଇତିଲେ । ତେବେ ଅଶ୍ୱିନୀଙ୍କ ଚମତ୍କାର ବୋଲିଂ ପରେ ଇଂଲଣ୍ଡ ଦ୍ରୁତ ବୋଲର ଜେମସ୍ ଆଣ୍ଡରସନ୍ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ।

୩୬ ବର୍ଷୀୟ ଅଶ୍ୱିନୀ ଏହା ପୂର୍ବରୁ ମଧ୍ୟ ଟେଷ୍ଟ ରାଙ୍କିଙ୍ଗର ନମ୍ବର ଏକ ସ୍ଥାନରେ ରହିସାରିଛନ୍ତି । ୨୦୧୫ରେ ସେ ଏହି ସମ୍ମାନର ଅଧିକାରୀ ହୋଇଥିଲେ । ଏହାର ପ୍ରାୟ ୮ ବର୍ଷ ପରେ ଏବେ ଅଶ୍ୱିନୀ ପୁଣିଥରେ ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି ।

ବର୍ତ୍ତମାନ ଟେଷ୍ଟ ବୋଲିଂ ତାଲିକାରେ ଅଶ୍ୱିନୀ ୮୬୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ପଛକୁ ଇଂଲଣ୍ଡ ଦ୍ରୁତ ବୋଲର ଜେମସ୍ ଆଣ୍ଡରସନ୍ ୮୫୯ ପଏଣ୍ଟ ସହ ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ୮୫୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଏହି ତାଲିକାର ଚତୁର୍ଥ ସ୍ଥାନରେ ଥିବାବେଳେ, ଭାରତୀୟ ସ୍ପିନ ବୋଲର ରବୀନ୍ଦ୍ର ଜାଡେଜା ଏହି ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି ।