ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।

100

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ କଡା ଚେତାବନୀ । ଭାରତରେ ରହି ବ୍ୟବସାୟ କଲେ ଭାରତୀୟ ନିୟମ ମାନିବାକୁ ପଡିବ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆମେରିକାର କ୍ୟାପିଟଲ ହିଲ ଆକ୍ରମଣ ଘଟଣାରେ ଟ୍ୱିଟର କମ୍ପାନୀର ଭିନ୍ନ ଆଭିମୁଖ୍ୟ ଥିବା ବେଳେ ଦିଲ୍ଲୀର ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଟ୍ୱିଟରର ଭିନ୍ନ ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । କ୍ୟାପିଟଲ ହିଲ୍ ଘଟଣା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଂଟକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଥିବା ବେଳେ ଲାଲକିଲ୍ଲା ଘଟଣାରେ ସେପରି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନାହିଁ ।

ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରଚାର ଏବଂ ହିଂସା ସୃଷ୍ଟି କଲା ଭଳି ପୋଷ୍ଟ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ରବିଶଙ୍କର ପ୍ରସାଦ । ଭାରତୀୟ ଆଇନକୁ ଅବମାନନା କଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ରାଜ୍ୟସଭାରେ ସତର୍କ କରାଇଦେଇଛନ୍ତି କେନ୍ଦ୍ର ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ରବିଶଙ୍କର ପ୍ରସାଦ । ବାକ୍ ସ୍ୱାଧୀନତା ରହିଛି କିନ୍ତୁ ସମ୍ବିଧାନ ଧାରା ୧୯(ଏ)ରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି । ସେହିପରେ ଭାରତରେ ବ୍ୟବସାୟ କରୁଥିବା ଟ୍ୱିଟର ଓ ଫେସବୁକ ମଧ୍ୟ ଆଇନରେ ବନ୍ଧା ଏବଂ ଏହା ବିରୋଧରେ କେହି ବି କାର୍ଯ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

ଜାନୁୟାରୀ ୨୬ରେ ନୂଆଦିଲ୍ଲୀ ଚାଷୀ ଆନ୍ଦୋଳନ ବେଳେ ହିଂସା ଉସୁକାଇଥିବା ଅଭିଯୋଗରେ ଭାରତ ସରକାର ଟ୍ୱିଟରକୁ କିଛି ଆକାଉଂଟ ବନ୍ଦ କରିବାକୁ କହିଥିଲେ । ଟ୍ୱିଟର ୫ ଶହରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସୁକାଇଥିବା ଆକାଉଂଟ ବନ୍ଦ କରିଥିବା ବେଳେ ଆଉ କିଛି ଆକାଉଂଟ ଉପରେ କୌଣସି କଟକଣା ଲଗାଇନାହିଁ । ବାକ୍ ସ୍ୱାଧୀନତାର ଦ୍ୱାହି ଦେଇ ଆକାଉଂଟ ବନ୍ଦ କରାଯିବ ନାହିଁ ବୋଲି କହିଛି । ତଥାପି ଭାରତ ସରକାର ମଙ୍ଗଳବାର ଦିନ ୨୫୭ଟି ଆକାଉଂଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଦିନ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏନେଇ କଡା ଆଭିମୁଖ୍ୟ ରଖିଛନ୍ତି ।