ଉତ୍ତରପ୍ରଦେଶ କୋତବାଲିରୁ ଜବତ ହୋଇଥିଲା ୨୪ଶହ ପେଟି ମଦ । ପୋଲିସ ରିପୋର୍ଟରେ ସବୁ ମଦ ପିଇଦେଇଛନ୍ତି ମୂଷା

78

କନକ ବ୍ୟୁରୋ : ଉତ୍ତରପ୍ରଦେଶ ର ଏଟାୱା ଜିଲ୍ଲା ଲଗାତର ଭାବେ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି । ଏଠାରେ ପୋଲିସ ସିଜ୍ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ମଦକୁ ଚୋରାରେ ବିକିଦେଇ ଜେନେରାଲ ଡାଏରୀରେ ଏହାକୁ ମୂଷା ପିଇଦେଇଥିବା କଥା ଲେଖି ଦେଇଛି । ପୋଲିସର ଏଭଳି ରିପୋର୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କହିରଖୁ କି ମାର୍ଚ୍ଚ ୧୧ ତାରିଖ ଦିନ ଜନପଦ ଏଟାୱା ର କୋତବାଲି ଅଞ୍ଚଳରେ ଜିଲ୍ଲା ଅଧିକାରୀ ଡା. ବିଭା ଚହଲ ଏକ ଫୋର୍ସ ସହ ଚଢାଉ କରି ୨୪ ଶହ ପେଟିରୁ ଅଧିକ ଚୋରାମଦ ଜବତ୍ କରିଥିଲା । ସେହି ସମୟରେ ଜିଲ୍ଲା ଅଧିକାରୀ ଜବତ୍ ଚୋରାମଦର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଥିଲେ । ଏହାପରେ ଏହି ଚୋରାମଦ କାରବାରରେ ସଂପୃକ୍ତ ଥିବା ଇନସପେକ୍ଟର ଇନ୍ଦ୍ରେଶ ପାଲ ଓ ତାଙ୍କ ସହଯୋଗୀ ମୁନସୀ ରସାଲ ସିଂଙ୍କୁ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ନିଲମ୍ବିତ କରାଯିବା ସହ ଏହି ମାମଲାର ଯାଂଚ ଆଲିଗଡ କ୍ରାଇମବ୍ରାଞ୍ଚ ହାତକୁ ଦିଆଯାଇଥିଲା ।

କେବଳ ଏତିକି ନୁହେଁ କ୍ରାଇମବ୍ରାଞ୍ଚ ଯାଂଚ ବେଳେ ଜାଣିବାକୁ ମିଳିଛି କି ପୋଲିସ ଇନ୍ଦ୍ରପାଲ ସିଂ ଓ ତାଙ୍କ ସହଯୋଗୀ ପୋଲିସ ଏକ ଢାବାରେ ଖାଇବା ପରେ ଟଙ୍କା ଦେଇ ନଥିଲେ । ଢାବା ମାଲିକ ଟଙ୍କା ମାଗିବାରୁ ସେ ଢାବା ମାଲିକଙ୍କ ସହ ଅନ୍ୟ ୧୨ ଜଣଙ୍କ ନାମରେ ମିଥ୍ୟା ମାମଲା କରି ସେମାନଙ୍କୁ ଜେଲ ପଠାଇ ଦେଇଥିଲେ । ଏହିସବୁ ମାମଲାରେ ପୋଲିସ ଇନ୍ଦ୍ରପାଲ ସିଂ ଓ ତାଙ୍କ ସହଯୋଗୀ ମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇନାହିଁ । ଅନ୍ୟପଟେ ପୋଲିସ ଡାଏରୀରୁ ଆହୁରି ଏକ ଚାଚଂଲ୍ୟ କରିଦେବା ଭଳି ତଥ୍ୟ ମିଳିଛି  । ଥାନା ଦ୍ୱାରା ଜବତ ହୋଇଥିବା ୨୪ ଶହ ପେଟି ମଦକୁ ମୂଷା ପିଇଦେଇଥିବା କଥା ଡାଏରୀରେ ଲେଖାଯାଇଛି ।

ଏହାକୁ ନେଇ ଯାଂଚ କରୁଥିବା ଅଧିକାରୀ କହିଛନ୍ତି କି ଏବେ ମାମଲାର ଯାଂଚ ଚାଲିଛି । ତଦନ୍ତ ସରିବା ପରେ ଯେଉଁମାନେ ଦୋଷୀ ବୋଲି ପ୍ରମାଣିତ ହେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।